ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ମହାକାଶକୁ ଯିବ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨। ଜୁଲାଇ ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨ ଯାନ୍ତ୍ରିକ ତ୍ରୁଟି କାରଣରୁ ନିର୍ଦ୍ଧାରିତ ସମୟର ପାଖାପାଖି ଏକ ଘଣ୍ଟା ପୂର୍ବରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା। ଏହି ଚନ୍ଦ୍ରଯାନ ମିଶନ ପାଇଁ ୯୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ସବୁ ଯାନ୍ତ୍ରିକ ସମସ୍ୟାର ସମାଧାନ କରିପାରିଛି।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଚନ୍ଦ୍ରଯାନ-୨ ଉତକ୍ଷେପଣ ପାଇଁ ସବୁକିଛି ପ୍ରସ୍ତୁତ ଥିଲ। ଏହି ମହାକାଶଯାନକୁ ନେବାକୁଥିବା ଜିଏସ୍ଏଲ୍ଭି ଏମ୍କେ -୩ରେ ଇନ୍ଧନ ଲୋଡ୍ ହୋଇ ସାରିଥିଲା। କାଉଣ୍ଟ ଡାଉନ୍ ମଧ୍ୟ ଆରମ୍ଭ ହୋଇସାରିଥିଲା। ରାତି ୨.୫୧ରେ ଏହାର ଉତ୍କ୍ଷେପଣ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏହାର ଠିକ ୫୬ ମିନିଟ୍ ୨୪ ସେକେଣ୍ଡ ପୂର୍ବରୁ କୌଣସି ଏକ ତ୍ରୁଟି ଦେଖାଯିବା ପରେ କାଉଣ୍ଟ ଡାଉନ୍ ବନ୍ଦ ହୋଇଯାଇଥିଲା। ଇସ୍ରୋ ପକ୍ଷରୁ ସେହିଦିନ କୁହାଯାଇଥିଲା, ଟି ମାଇନସ୍ ୫୬ ମିନିଟ୍ରେ ଲଞ୍ଚ ଭେଇକିଲ ସିଷ୍ଟମ୍ରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା। ତେଣୁ ଚନ୍ଦ୍ରଯାନ-୨ର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।
ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ବିଜ୍ଞାନର ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଗତ ୧୫ ତାରିଖରେ ଉତ୍କ୍ଷେପଣ ହୋଇଥିଲେ ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥା’ନ୍ତା। ଅବତରଣ ପରେ ଚନ୍ଦ୍ରଯାନ-୨ ସହ ସଂଯୁକ୍ତ ରୋଭରଟି ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ।
ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିଶନ୍ ଜାରି ରଖିବ। ଏହି ମିଶନ୍ରେ ୧୩ଟି ଭାରତୀୟ ପେ'ଲୋଡ୍ ରହିଛି। ରୋଭର୍ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କ୍ୟାଲସିୟମ , ଆଇରନ୍ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନାଲୋଚିତ ଅଂଶ ବା ଅନ୍ଧକାରମୟ ପାର୍ଶ୍ୱକୁ ମଧ୍ୟ ଏହି ମିଶନ୍ ଅଧ୍ୟୟନ କରିବା।
ଚନ୍ଦ୍ରଯାନ-୧ ମିଶନ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବା ବେଳେ, ଏହା ଉପରେ ସାରା ବିଶ୍ୱର ମଧ୍ୟ ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ଅର୍ଜନ କରିବ।