ନୂଆଦିଲ୍ଲୀ: ଶନିବାର ମହାକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବ ଭାରତର ବହୁ ପ୍ରତୀକ୍ଷିତ ମିଶନ୍ ଚନ୍ଦ୍ରଯାନ-୨। ଏହା ରାତି ୧.୫୫ ସମୟରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଅନାଲୋଚିତ ଦକ୍ଷିଣ ମେରୁରେ ‘ସଫ୍ଟଲ୍ୟାଣ୍ଡ’ କରିବାର ସମସ୍ତ ପ୍ରସ୍ତୁତି ସରିଯାଇଛି। ଏଥିସହିତ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ନିଜର ‘ବିକ୍ରମ’ ଦେଖାଇବା ନିଶ୍ଚିତ ହୋଇସାରିଛି। ପୂର୍ବରୁ ଚନ୍ଦ୍ରଯାନ-୨ର ମୁଖ୍ୟ ଅଂଶରୁ ଅଲଗା ହୋଇସାରିଥିବା ଲ୍ୟାଣ୍ଡର ‘ବିକ୍ରମ’ ରୋଭର ପ୍ରଜ୍ଞା ସହ ରାତି ୧.୩୦ରୁ ୨.୩୦ ମଧ୍ୟରେ ଅବତରଣ କରିବ ବୋଲି ଆକଳନ ହୋଇଛି। ବିକ୍ରମ ଚନ୍ଦ୍ରରେ ପାଦ ଦେବାର ଗୋଟିଏ ମିନିଟ୍ ଆଗରୁ ଇସ୍ରୋକୁ ଚନ୍ଦ୍ରପୃଷ୍ଠର ଫଟୋ ପଠାଇବ। ସକାଳ ୫.୩୦ରୁ ୬.୩୦ ମଧ୍ୟରେ ୬ଟି ଚକ ବିଶିଷ୍ଟ ରୋଭର ପ୍ରଜ୍ଞା ଲ୍ୟାଣ୍ଡର ଭିତରୁ ବାହାରି ଚନ୍ଦ୍ରରେ ପାଦ ଦେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍ଡିଏ ସରକାରର ଶହେ ବର୍ଷ ପୂର୍ତ୍ତି ହେଉଛି। ଏହି ଦିନରେ ଭାରତର ଐତିହାସିକ ଉପଲବ୍ଧି ଦେଖିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରଠାରେ ଉପସ୍ଥିତ ଅଛନ୍ତି।
୬ ଚକ ବିଶିଷ୍ଟ ପ୍ରଜ୍ଞା ବିକ୍ରମ ଲ୍ୟାଣ୍ଡ କରିବାର ୪ ଘଣ୍ଟା ପରେ ଲ୍ୟାଣ୍ଡ କରିବ। ଏହାପରେ ସେକେଣ୍ଡ ପ୍ରତି ୧ ସିଏମ୍ ବେଗରେ ଏହା ଚନ୍ଦ୍ରପୃଷ୍ଠରେ ବୁଲିବାକୁ ଆରମ୍ଭ କରିବ। ଏପରି ଭାବେ ଏହା ୫୦୦ ମିଟର କଭର କରିବ। ଏହା ୧୪ ଦିନ (ଚନ୍ଦ୍ରରେ ଗୋଟିଏ ଦିନ) ପାଇଁ ସେଠାରେ ବିଭିନ୍ନ ଗବେଷଣା କରିବ।
ପ୍ରଧାନମନ୍ତ୍ରୀ ମୋଦି ଏହି ମିଶନ୍ ବାବଦରେ କହିଛନ୍ତି, “ମୁଁ ଚନ୍ଦ୍ରଯାନ-୨ ମିଶନ୍ ଆରମ୍ଭରୁ ନିୟମିତ ସମୀକ୍ଷା କରିଆସୁଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ମୁହୂର୍ତ୍ତର ସିଧାପ୍ରସାରଣ ଦେଖନ୍ତୁ। ସୋଶାଲ ମିଡିଆରେ ଶେୟାର କରନ୍ତୁ। ମୁଁ ସେଥିରୁ କିଛି ରିଟ୍ୱିଟ୍ ମଧ୍ୟ କରିବି।”
ସୂଚନାଯୋଗ୍ୟ ଯେ, ଓଡ଼ିଶାର ଚିନ୍ମୟ ଚୌଧୁରୀଙ୍କ ସମେତ ୬୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ ଦେଖିବେ। କିଛି ଛାତ୍ରଛାତ୍ରୀ ଭୁଟାନରୁ ମଧ୍ୟ ଆସିବାର ଅଛି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍ରେ ବିଜେତା ହୋଇ ଏହି ସୁଯୋଗ ପାଇଛନ୍ତି। ମୋଦି କହିଛନ୍ତି, ଏହି କ୍ୱିଜ୍ରେ ସେମାନେ ଭାଗ ନେବା ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ସେମାନଙ୍କ ଆଗ୍ରହକୁ ପ୍ରତିପାଦନ କରିଛି।
ସାରା ଦେଶରୁ ୩୦୦ ଜଣ ସାମ୍ବାଦିକ ବେଙ୍ଗାଲୁରୁଠାରେ ଉପସ୍ଥିତ ରହି ଏହି ଖବର ପ୍ରସାରଣ କରାଇବେ। ୧.୧୦ରୁ ଦୂରଦର୍ଶନରେ, ୟୁଟ୍ୟୁବ୍, ଫେସବୁକ୍ ଏବଂ ଟ୍ୱିଟରରେ ଏହାର ସିଧାପ୍ରସାରଣ ଆରମ୍ଭ ହେବ। ଏହାର ବେଶ ପୂର୍ବରୁ ଲୋକେ ଶୁଭେଚ୍ଛା ବାର୍ତ୍ତା ପଠାଇବା ଆରମ୍ଭ କରିସାରିଛନ୍ତି।
ଏହି ମିଶନ୍ ବାସ୍ତବ ରୂପ ନେବା ଯେତେ ନିକଟତର ହେଉଛି ବୈଜ୍ଞାନିକମାନେ ମଧ୍ୟ ଉତ୍ସାହିତ ହେବାରେ ଲାଗିଛନ୍ତି। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି, ଏହା ଲ୍ୟାଣ୍ଡ କରିବାର ଶେଷ ୧୫ ମିନିଟ୍ ଆମ ପାଇଁ ଉଲ୍ଲେଖନୀୟ ଏବଂ ଭୟଙ୍କର ହେବ। ଏହା ଏକ ନବଜନ୍ମିତ ଶିଶୁକୁ ଦୋଳିରେ ଥୋଇବା ପରି ମୁହୂର୍ତ୍ତ। ସେ ଲ୍ୟାଣ୍ଡର ବିକ୍ରମକୁ ଏହି ଶିଶୁ ସହିତ ତୁଳନା କରିଛନ୍ତି, ଯାହାକି ଭାରତୀୟ ମହାକାଶର କିମ୍ବଦନ୍ତୀ ବିକ୍ରମ ସରାଭାଇଙ୍କ ନାମରେ ନାମିତ।
ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍ ଭିଡିଓ। ଏଥିରେ ଦର୍ଶାଯାଇଛି ଶନିବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କିଭଳି ଭାବେ ସଫ୍ଟଲ୍ୟାଣ୍ଡ କରିବ। ଏହି ଭିଡିଓରେ ରହିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରପୃଷ୍ଠ ଉପରୁ ୩୦ କିଲୋମିଟରରୁ ହିଁ ଲ୍ୟାଣ୍ଡ କରିବା ପ୍ରକ୍ରିୟା ଆରମ୍ଭ କରିବ। ଏହା ନିଜ ଚାରିପଟେ ମୋଡ଼ ନେଇ ୯୦ ଡିଗ୍ରୀ ମୁଦ୍ରାକୁ ଆସିବାକୁ ପ୍ରୟାସ କରିବ। ଏହାପରେ ବିକ୍ରମ ଏଥିରେ ଲାଗିଥିବା ଲ୍ୟାଣ୍ଡର ପୋଜିସନ୍ ଡିଟେକ୍ସନ୍ କ୍ୟାମେରା (ଏଲପିଡିସି) ଚନ୍ଦ୍ରପୃଷ୍ଠକୁ ସ୍କାନ୍ କରି ନିଜ ପାଇଁ ଏକ ଉଚିତ ସ୍ଥାନ ବାଛିବ। ଥରେ ଏହା ବଛା ହୋଇଗଲେ ଏହା ଚନ୍ଦ୍ର ଆଡ଼କୁ ମୁହାଁଇବ।
ଏହା ଚନ୍ଦ୍ରପୃଷ୍ଠର ୧୦ ମିଟର ଉପରେ ପୁଣି ଏକ ମୋଡ଼ ନେବ। ଏପରି କରି ବିକ୍ରମ ଚନ୍ଦ୍ରପୃଷ୍ଠର ୯୦ ଡିଗ୍ରୀ ସ୍ଥିତିକୁ ଆସିଯିବ। ଏହାପରେ ବିକ୍ରମ ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ। ଏହା ଲ୍ୟାଣ୍ଡ କରିବା ପରେ ୩ଟି ପ୍ଲେଲୋଡ୍ ବାହାରକୁ ଆସି ପରୀକ୍ଷା ନିରୀକ୍ଷା ଆରମ୍ଭ କରିବେ। ଏକ ଘଣ୍ଟା ପରେ ବିକ୍ରମ୍ ୬ଟି ଚକ ବିଶିଷ୍ଟ ରୋଭର ପ୍ରଜ୍ଞାକୁ ଅପତରଣ କରାଇବ। ଏପରିକ କରିବାରା ଭାରତ ଚତୁର୍ଥ ରାଷ୍ଟ୍ର ହେବ। ଏହା ଏକ ‘ଚନ୍ଦ୍ରଦିନ’ ବା ପୃଥିବୀରେ ୧୪ ଦିନ ପାଇଁ ସେଠାରେ ଗବେଷଣା କରିବ।