ଚେନ୍ନାଇ: ଚେନ୍ନାଇରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି। ଆଜି ସକାଳୁ ବର୍ଷା ବନ୍ଦ ହୋଇଥିବାରୁ ବିଭିନ୍ନ ନଦୀର ଜଳସ୍ତର କମିଛି। ରିଲିଫ୍ କାର୍ଯ୍ୟ ଜୋରସୋରରେ କରାଯାଉଛି। ସେନା ଓ ଏନଡିଆରଏଫ୍ ୭ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ନୌବାହିନୀର ଜାହାଜ ଆଇଏନଏସ ଐରାବତକୁ ନିୟୋଜିତ କରାଯାଇଛି। ତଥାପି କିଛି ସ୍ଥାନରେ ଅନେକ ପାଣି ଘେରରେ ଫସିରହିଛନ୍ତି। ବିଦ୍ୟୁତ୍, ପାନୀୟ ଜଳ ସଂଯୋଗ ବିଛିନ୍ନ ରହିଛି। ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇଛି। କ୍ଷୀର ପ୍ୟାକେଟ୍ ପିଛା ଶହେ ଟଙ୍କା ବିକ୍ରି ହେଉଥିବା ବେଳେ ୨୦ଟଙ୍କିଆ ପାଣି ବୋତଲର ଦର ୧୫୦ଟଙ୍କା ରହିଛି। ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦରକୁ ଡିସେମ୍ୱର ୬ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇ ଥିବାରୁ ବହୁ ଯାତ୍ରୀ ଭୋକଉପାସରେ ଘରକୁ ଫେରିବା ଲାଗି ଅପେକ୍ଷା କରି ରହିଛନ୍ତି। ଚେନ୍ନାଇରେ ଫସିଥିବା ୨୫୦ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣିବା ଦିଗରେ ବ୍ୟବସ୍ଥା କରିବାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାପରେ ରେଳ ବିଭାଗ ଏକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛି। କିଛି ସମୟ ତଳେ ଚେନ୍ନାଇ ବିଚ୍ ଷ୍ଟେସନରୁ ଏହି ଟ୍ରେନ୍ ଛାଡ଼ିଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।