ଫରିଦାବାଦ: ଛୋଟ ଛୁଆଙ୍କୁ ଏକୁଟିଆ ଘରେ ଛାଡ଼ିଲେ କ’ଣ ସ୍ଥିତି ହୁଏ ତାର ଏକ ଭୟଙ୍କର ନମୁନା ଦେଖିବାକୁ ମିଳିଛି। ହରିଆନାର ଗ୍ରେଟର ଫରିଦାବାଦର ବଡୋଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୋନୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ୧୦ ବର୍ଷର ଛୁଆ ଫରହାନକୁ ଘରେ ଏକୁଟିଆ ଛାଡ଼ି ଦେଇ ବାହାରକୁ ଯାଇଥିଲେ। ଘରେ ଛାଡ଼ିବା ବେଳେ ପିଲାଟି ଟିଭି ଦେଖୁଥିଲା।
ଟିଭି ଦେଖୁଥିବାବେଳେ ପାଖରେ ଥିବା ଏକ ପ୍ଲାଷ୍ଟିକ ଦୌଡିକୁ ନେଇ ଫରହାନ ଖେଳିବା ଆରମ୍ଭ କରିଥିଲା। ହେଲେ ଫରହାନ ଖେଳୁଖେଳୁ ଦୌଡିରେ ଏକ ଫାଶ ପକାଇ ଦେଇଥିଲା। ଆଉ ଏହି ଫାଶକୁ ନିଜ ବେକରେ ଲଗାଇ ଟାଣିଦେବା ଫଳରେ ତା’ର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ଫରହାନ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲା ବୋଲି ସୂଚନା ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।