ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ସବୁକିଛି ଠିକଠାକ୍ ନାହିଁ। ଏନଡିଏର ନେତୃତ୍ୱ ନେଉଥିବା ବିଜେପି ନେତା ଯଦିଓ ଏ ବାବଦରେ ଚୁପ୍ ରହିଛନ୍ତି। କିନ୍ତୁ ସହଯୋଗୀ ଦଳ ଠିକଠାକ୍ ନାହିଁ ବୋଲି କହି ବୁଲୁଛନ୍ତି। ଏନଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶଓ୍ୱାନ ଠିକଠାକ୍ ନାହିଁ ବୋଲି କହିଛନ୍ତି। ଏନଡିଏରେ ଥିବା ଦଳ ମଧ୍ୟରେ ବୁଝାମଣା ଠିକ୍ ରଖିବା ପାଇଁ ଜଣେ ଆବାହକ ରହିବା ଦରକାର ବୋଲି ସେ ଆଜି ଗଣମାଧ୍ୟମକୁ କହିଛନ୍ତି।
ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ନେଇ ବିଜେପି ସହ ବିବାଦ ହେବା ପରେ ସହଯୋଗୀ ଶିବସେନା ଏନଡିଏରୁ ଓହରିଛି। ଯାହାକି ଏନଡିଏ ପାଇଁ ଏକ ଶକ୍ତ ଧକ୍କା। ସେହିଭଳି ଝାଡ଼ଖଣ୍ଡରେ ଚଳିତ ମାସ ଅନ୍ତିମରୁ ବିଧାନସଭା ନିର୍ବାଚନ ରହିଛି। ହେଲେ ଆସନ ବୁଝାମଣାକୁ ନେଇ ବିବାଦ ହେବାରୁ ସହଯୋଗୀ ଲୋକ ଜନଶକ୍ତି ପାର୍ଟି, ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ (ଏଜେଏସୟୁ) ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ସେହିପରି ଲୋକସଭା ନିର୍ବାଚନ ବେଳେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନମିଳିବାରୁ ତେଲଗୁ ଦେଶମ ପାର୍ଟି ଏନଡିଏରୁ ଓହରିଥିଲା। ଉତ୍ତର ପ୍ରଦେଶରେ ମଧ୍ୟ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ମଧ୍ୟ ଏନଡିଏରୁ ଓହରିଛି। ତେଣୁ ଦଳ ଗୁଡ଼ିକ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଜଣେ ସଂଯୋଜକ ରହିବା ଦରକାର ବୋଲି ଚିରାଗ ପାଶଓ୍ୱାନ କହିଛନ୍ତି।
ବାଜପେୟୀଙ୍କ ବେଳେ ମଧ୍ୟ ଏନଡିଏ ଦଳ ମଧ୍ୟରେ ବୁଝାମଣା ପାଇଁ ଆବାହକ ପଦବୀ ଥିଲା। ୨୦୧୩ରେ ଜେଡିୟୁ ନେତା ଶରଦ ଯାଦବ ଏହି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଛି ବୋଲି ଚିରାଗ କହିଛନ୍ତି।