ନୂଆଦିଲ୍ଲୀ: ଜିଏସ୍ଟି ଲାଗୁ ହେବା ପରେ ଜୁଲାଇ ପହିଲାରୁ ପାନ ମସଲା, ଗୁଟ୍ଖା ଓ ସିଗାରେଟ୍ ବହୁତ ମହଙ୍ଗା ହେବ। ଏହି ସବୁ ସାମଗ୍ରୀ ଉପରେ କେବଳ ୨୮%ର ସର୍ବୋଚ୍ଚ ଟିକସ ହାର ଲାଗୁ କରାଯାଇ ନାହିଁ, ତା’ ସହିତ ବହୁ ପରିମାଣରେ ସେସ୍ ମଧ୍ୟ ଲାଗୁ କରାଯାଇଛି। ଗୁଟଖା ପାଇଁ ଗ୍ରାହକଙ୍କୁ ମୋଟ ୮୫% ଟିକସ ଦେବାକୁ ପଡ଼ିବ।
ସିଗାରେଟ୍ ଉପରେ ସେସ୍ ସହିତ ସ୍ୱତନ୍ତ୍ର ଟିକସ ଲାଗୁ କରାଯିବାର ବ୍ୟବସ୍ଥା ରହିଛି। ୬୫ ମିଲିମିଟର (ଏମ୍ଏମ୍)ର ଛୋଟ ଫିଲ୍ଟର ଓ ନନ୍-ଫିଲ୍ଟର ସିଗାରେଟ୍ରେ ୨୮% ଜିଏସ୍ଟି ବାଦ୍ ୫% ସେସ୍ ବସିବ। ତା’ସହିତ ପ୍ରତି ୧୦୦୦ ଖଣ୍ଡରେ ୧,୫୯୧ ଟଙ୍କା ଟିକସ ଲାଗୁ ହେବ। ୬୫ ରୁ ୭୦ ଏମ୍ଏମ୍ ମଧ୍ୟରେ ଥିବା ନନ୍-ଫିଲ୍ଟର ସିଗାରେଟ୍ରେ ୫% ସେସ୍ ଓ ହଜାରେ ଖଣ୍ଡକୁ ୨,୮୭୬ ଟଙ୍କା ଟିକସ ବସିବ। ତେବେ ଫିଲ୍ଟର ସିଗାରେଟ୍ରେ ୫% ସେସ୍ ସମେତ ୨,୧୨୬ ଟଙ୍କା ଟିକସ ବସିବ। ସିଗାରରେ ୨୮% ଜିଏସ୍ଟି ବ୍ୟତୀତ ୨୧% ସେସ୍ ଓ ହଜାରେ ଖଣ୍ଡ ଉପରେ ୪,୧୭୦ ଟଙ୍କାର ଅତିରିକ୍ତ ଟିକସ ଲାଗିବ। ବ୍ରାଣ୍ଡେଣ୍ଡ ଗୁଟ୍ଖାରେ ଜିଏସ୍ଟି ବ୍ୟତୀତ ୭୨% ସେସ୍ ଲାଗିବ।