ନୂଆଦିଲ୍ଲୀ: ରବିବାର ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି)କୁ ଭବିଷ୍ୟତର ଭିତ୍ତିଭୂମି ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି। ସେ କହିଛନ୍ତି ଆସାମରେ ଲାଗୁ ହୋଇଥିବା ଏନ୍ଆରସି ବର୍ତ୍ତମାନ ପାଇଁ ଦଲିଲ ନୁହେଁ, ଏହାକୁ ଭବିଷ୍ୟତ ପାଇଁ ଭିତ୍ତିଭୂମି ଭାବେ ବ୍ୟବହାର କରାଯାଇପାରିବ। ଏହା ଦେଶରେ ରହିଥିବା ଅନୁପ୍ରବେଶକାରୀଙ୍କ ସଂଖ୍ୟା ନିର୍ଦ୍ଧାରଣ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ତେବେ କିଛି ଗଣମାଧ୍ୟମଙ୍କ ଦାୟିତ୍ୱହୀନ ଖବର ପ୍ରସାରଣ ସ୍ଥିତି ବିଗାଡ଼ିଥିଲା ବୋଲି ସେ ଏଏନ୍ଆଇକୁ କହିଛନ୍ତି।
ଏଏନ୍ଆଇକୁ ଗୋଗୋଇ ସାକ୍ଷାତକାରରେ କହିଛନ୍ତି, “ଦେଶରେ କେତେ ଅନୁପ୍ରବେଶକାରୀ ଅଛନ୍ତି ତାହା ଜାଣିବା ଜରୁରୀ ଥିଲା। ଏହା ହିଁ ବର୍ତ୍ତମାନର ଏନ୍ଆରସି ପ୍ରୟାସ କରିଥିଲା। କିଛି ଅଧିକ ନୁହେଁ କି କିଛି କମ୍ ନୁହେଁ।”
ଗତ ଅଗଷ୍ଟ ୩୧ରେ ଏନ୍ଆରସି ପ୍ରକାଶିତ ହେବାର ୨ ମାସ ପରେ ସିଜେଆଇ ଏଭଳି ମତ ରଖିଛନ୍ତି। ଏହି ପୁରା ପ୍ରକ୍ରିୟା ସୁପ୍ରିମ୍କୋର୍ଟଙ୍କ ତତ୍ତ୍ୱାବଧାନରେ ଚାଲିଥିଲା। ଏହାର ଅବଧି ପାଇଁ ମଧ୍ୟ ଲଗାତାର ଫଲୋ ଅପ୍ କରିଥିଲେ। ତେବେ ବାଦ୍ ପଡ଼ିଥିବା ଲୋକେ ଏବେ ମଧ୍ୟ ଆବେଦନ କରିବା ପାଇଁ ବିକଳ୍ପ ରହିଛି। ସେମାନଙ୍କୁ ପ୍ରମାଣ ଦେବାକୁ ହେବ ସେମାନେ ବା ସେମାନଙ୍କ ପୂର୍ବ ପୁରୁଷ ୧୯୭୧ ମାର୍ଚ୍ଚ ୨୪ ପୂର୍ବରୁ ଭାରତ ଆସିଥିଲେ।