ରାଜ୍ୟସଭାରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କଲା କଂଗ୍ରେସ, ସିଏବିକୁ ବିରୋଧ କରିବ ଶିବସେନା

ନୂଆଦିଲ୍ଲୀ: ଲୋକସଭାରେ ପାସ୍‌ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ରାଜ୍ୟସଭାରେ ଅଟକାଇବା ପାଇଁ କଂଗ୍ରେସ ଫୁଲଦମ ଲଗାଇବ। ଆସନ୍ତାକାଲି ସିଏବି ରାଜ୍ୟସଭାରେ ଆଗତ ହେବ। ଆଜି ଏଥିପାଇଁ କଂଗ୍ରେସ ପକ୍ଷରୁ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ ଜାରି କରାଯାଇଛି। ଦଳର ସମସ୍ତ ସଦସ୍ୟ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବେ ବୋଲି କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ହ୍ୱିପରେ କୁହାଯାଇଛି। ଲୋକସଭାରେ ସିଏବି ଉପରେ ୧୨ ଘଣ୍ଟା କାଳ ବିତର୍କ ହୋଇଥିଲା ବେଳେ ରାଜ୍ୟରେ ଏଥିପାଇଁ ୬ […]

cvf

Hemant Lenka
  • Published: Tuesday, 10 December 2019
  • , Updated: 10 December 2019, 04:34 PM IST

ନୂଆଦିଲ୍ଲୀ: ଲୋକସଭାରେ ପାସ୍‌ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ରାଜ୍ୟସଭାରେ ଅଟକାଇବା ପାଇଁ କଂଗ୍ରେସ ଫୁଲଦମ ଲଗାଇବ। ଆସନ୍ତାକାଲି ସିଏବି ରାଜ୍ୟସଭାରେ ଆଗତ ହେବ। ଆଜି ଏଥିପାଇଁ କଂଗ୍ରେସ ପକ୍ଷରୁ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ ଜାରି କରାଯାଇଛି।

ଦଳର ସମସ୍ତ ସଦସ୍ୟ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବେ ବୋଲି କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ହ୍ୱିପରେ କୁହାଯାଇଛି। ଲୋକସଭାରେ ସିଏବି ଉପରେ ୧୨ ଘଣ୍ଟା କାଳ ବିତର୍କ ହୋଇଥିଲା ବେଳେ ରାଜ୍ୟରେ ଏଥିପାଇଁ ୬ ଘଣ୍ଟାର ସମୟ ମିଳିଛି।

କଂଗ୍ରେସ ପୂର୍ବରୁ ବିଜେପି ମଧ୍ୟ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବା ପାଇଁ ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିଛି। ଯଦି କେହି ହ୍ୱିପକୁ ଅମାନ୍ୟ କରେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିବାଦୀୟ ସିଏବି ବିଲ ପାସ ହେବା ପାଇଁ ଏନଡିଏ ସରକାରଙ୍କୁ ୧୨୧ ଜଣ ସାଂସଦଙ୍କ ସମର୍ଥନ ଦରକାର। କାରଣ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି।

ଅନ୍ୟପକ୍ଷରେ ଲୋକସଭାରେ ସିଏବିକୁ ସମର୍ଥନ କରିଥିବା କଂଗ୍ରେସର ନୂଆ ସହଯୋଗୀ ଶିବସେନା ରାଜ୍ୟସଭାରେ ଏହାକୁ ବିରୋଧ କରିବାର ସଙ୍କେତ ଦେଇଛି। ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, “ଆମ ପ୍ରଶ୍ନର ଉତ୍ତର ନ ମିଳିବା ପର୍ଯ୍ୟନ୍ତ ଆମେ ଏହି ସିଏବିକୁ ସମର୍ଥନ କରିବୁ ନାହିଁ।

ବର୍ତ୍ତମାନ ଏହି ବିଲକୁ ଯିଏ ସମର୍ଥନ କରୁଛି ଏବଂ ବିଜେପିକୁ ସମସ୍ତେ ଦେଶଭକ୍ତ କହୁଥିବା ବେଳେ ଏହି ବିଲକୁ ଯିଏ ବିରୋଧ କରୁଛି ତା’କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ପ୍ରଥମେ ଏହି ଚିନ୍ତାଧାରାକୁ ଆମେ ବଦଳାଇବାକୁ ଚେଷ୍ଟା କରିବୁ। ଏହି ବିଲକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ପ୍ରଥମେ ସରକାର ଦିଅନ୍ତୁ।”

ଏହାପୂର୍ବରୁ ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଥିଲେ, “ଆମେ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ବଦଳାଇ ପାରୁ। ତଥାପି ଆସନ୍ତାକାଲି ଏହା ଉପରେ ନିଷ୍ପତ୍ତି ହେବ।”
ରାଜ୍ୟସଭାରେ ଶିବସେନାର ମାତ୍ର ୩ ଜଣ ସାଂସଦ ଅଛନ୍ତି।

Related story