ନୂଆଦିଲ୍ଲୀ: ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଦିଲ୍ଲୀର ପ୍ରଭାରୀ ପିସି ଚାକୌଙ୍କ ପାଖକୁ ପଠାଇ ଦେଇଛନ୍ତି। ଗତ ୧୩ ତାରିଖରୁ ସେ ତାଙ୍କ ଇସ୍ତଫା ପତ୍ର ଉଭୟଙ୍କ ପାଖକୁ ପଠାଇ ଦେଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ଓ ବିଦେଶକୁ ଚିକିତ୍ସା ପାଇଁ ଯିବା କଥା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଅଜୟଙ୍କ ଇସ୍ତଫା ଖବରକୁ କଂଗ୍ରେସ୍ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି, “ସେ (ଅଜୟ ମାକନ୍) ଇସ୍ତଫା ଦେଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ବିଦେଶକୁ ଚିକିତ୍ସା ପାଇଁ ଯାଇଛନ୍ତି। ଶୀଘ୍ର ସେ ଫେରିବେ।”
ଗୋଟିଏ ପଟେ ଦଳ ତାଙ୍କ ଇସ୍ତଫା ଖବରକୁ ଅସ୍ୱୀକାର କରୁଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ଜଣେ ଯୁବକଙ୍କୁ ଦାୟିତ୍ୱ ଦେବାକୁ ବିଚାର କରୁଥିବା ଜଣାପଡ଼ୁଛି। ଏପରି ସ୍ଥିତିରେ କଂଗ୍ରେସ ଅଜୟଙ୍କ ଇସ୍ତଫାକୁ ନେଇ ଦେଉଥିବା ମନ୍ତବ୍ୟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।
ସୂଚନାଯୋଗ୍ୟ, ମହାନଗର ନିଗମ ନିର୍ବାଚନରେ କଂଗ୍ରେସର ପରାଜୟ ହୋଇଥିଲା। ସେତେବେଳେ ଅଜୟ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନଥିଲା।
୨୦୧୫ ମସିହାରେ ଦଳ ଅରାବିନ୍ଦର ସିଂହ ଲଭଲୀ ସ୍ଥାନରେ ଅଜୟଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଅଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।