ଅହମଦାବାଦ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାଡ଼ ହୋଇଛି। ଆଜି ସକାଳେ ହାର୍ଦ୍ଦିକ ପଟେଲ ଗୁଜରାଟର ସୁରେନ୍ଦରନଗର ଜିଲ୍ଲାରେ ଚାଲିଥିବା 'ଜନ ଆକ୍ରୋଶ ସଭା'ରେ ଉଦବୋଧନ ଦେଉଥିବା ବେଳେ, ହଠାତ୍ ଜଣେ ସାଧାରଣ ଲୋକ ମଞ୍ଚ ଉପରକୁ ଆସି ହାର୍ଦ୍ଦିକଙ୍କ ଗାଲରେ ଶକ୍ତ ଚାପୁଡ଼ାଟେ ମାରିଥିବା ଦେଖିବାକୁ ମିଳିଛି। ଏହାପରେ ଉପସ୍ଥିତ ଥିବା ସାଧାରଣ ଲୋକ ଆକ୍ରମଣକାରୀକୁ କାବୁ କରି ନେଇଥିଲେ। ତେବେ ଏ ନେଇ ହାର୍ଦ୍ଦିକ ପଟେଲ ପୁଲିସରେ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମାଡ଼ ମାରିଥିବା ଚାଷୀ ବିନୟ ପଟେଲଙ୍କ ଚାଷଜମିରେ ହାର୍ଦ୍ଦିକ ପଟେଲଙ୍କ ଚପର ଓହ୍ଲାଇବାର ଥିଲା। କିନ୍ତୁ ବିନୟ ଏଥିପାଇଁ ଅନୁମତି ଦେଇନଥିଲେ। ଫଳରେ ହାର୍ଦ୍ଦିକ ନିଜ ଚପର ସଭାସ୍ଥଳଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ନିଜ ଚପର ଓହ୍ଲାଇ ସଭାସ୍ଥଳକୁ ଆସିଥିଲେ। ଏହାପରେ ବି ଚାଷୀ ବିନୟ ପଟେଲଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ସଭାସ୍ଥଳକୁ ଆସି ମଂଚଲେ ଭାଷଣ ଦେଉଥିବା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ।
ପଟିଦାର ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ପଟିଦାର ନେତାଙ୍କୁ ନେଇ ହାର୍ଦ୍ଦିକ ପଟେଲ ରାଜନୀତି କରୁଛନ୍ତି ବୋଲି କହି, ଚାଷୀ ବିନୟ ପଟେଲ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଆଜି ଏପରି କାଣ୍ଡ ଭିଆଇଛନ୍ତି।
୨୦୧୫ରୁ ଗୁଜରାଟରେ ‘ପଟିଦାର ଆନ୍ଦୋଳନ’ର ନେତା ସାଜିଛନ୍ତି ୨୫ ବର୍ଷୀୟ ହାର୍ଦ୍ଦିକ ପଟେଲ। ନିକଟରେ ସେ କଂଗ୍ରେସରେ ଯୋଗଦେବା ପରେ ଚଳିତ ସାଧାରଣ ନିର୍ବାଚନରେ ଗୁଜରାଟର ଷ୍ଟାର କ୍ୟାମ୍ପେନର ହୋଇଛନ୍ତି।
https://youtu.be/qchU6BJW-oY
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।