ନୂଆଦିଲ୍ଲୀ: ଗତ ମାସ ଝାଡ଼ଖଣ୍ଡ କଂଗ୍ରେସ ସଭାପତି ପଦବୀରୁ ଇସ୍ତଫା ଦେଇଥିବା ଅଜୟ କୁମାର ଆଜି ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଆଜି ଆପରେ ଯୋଗ ଦେଇଛନ୍ତି। ଆଗକୁ ଝାଡ଼ଖଣ୍ଡ ସମେତ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ଅଜୟ କୁମାର ଆପରେ ଯୋଗଦେବା ଝାଡ଼ଖଣ୍ଡ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଲୋକଙ୍କ ପାଇଁ ସଚ୍ଚୋଟ ରାଜନୀତି କରିବାକୁ ଚାହେଁ ବୋଲି ଅଜୟ କୁମାର ପ୍ରତିକ୍ରିୟାରେ କହିଛନ୍ତି।
ଅଜୟ କୁମାର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆଇପିଏସ ଅଫିସର ଥିଲେ। ଏକଦା ସେ ରାହୁଲ ଗାନ୍ଧିଙ୍କର ଅତ୍ୟନ୍ତ ନିକଟତର ବ୍ୟକ୍ତି ବୋଲି କୁହାଯାଉଥିଲା। ୨୦୧୭ରେ ସେ ଆଇପିଏସ ଚାକିରୀ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ନେତା ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ପରେ ଅଜୟ ଅଗଷ୍ଟ ୯ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ସମୟରେ ଝାଡ଼ଖଣ୍ଡ କଂଗ୍ରେସ ନେତାଙ୍କ ତୁଳନାରେ ଅପରାଧୀ ଭଲ ବୋଲି ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ ଅଜୟ।
ଏହାପରେ ଅଗଷ୍ଟ ୨୬ରେ ଝାଡ଼ଖଣ୍ଡ କଂଗ୍ରେସର ଅଧ୍ୟକ୍ଷ ଭାବରେ ରାମେଶ୍ୱର ଓରାଓଁ ନିଯୁକ୍ତ ହୋଇଥିଲେ। କଂଗ୍ରେସରେ ଥିବା ବେଳେ ଅଜୟଙ୍କୁ ଓରାଓଁ କଡ଼ା ସମାଲୋଚନା କରୁଥିଲେ।
ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡର ୧୪ ଲୋକସଭା ଆସନରେ କଂଗ୍ରେସ ଶୋଚନୀୟ ପରାସ୍ତ ହୋଇଥିଲା। ଏହାପରେ ପରାଜୟ ପାଇଁ ନିଜକୁ ଦାୟୀ କରି ଅଜୟ କୁମାର ସେତେବେଳେ ଇସ୍ତଫା ଦେଇଥିଲେ ହେଲେ ଦଳ ଗ୍ରହଣ କରିନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।