୧୦୬ ଦିନ ପରେ ଜେଲ୍ରୁ ବାହାରିଲେ ଚିଦାମ୍ବରମ୍
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୨୧ରୁ ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ଶେଷରେ ଜେଲ୍ରୁ ବାହାରିଛନ୍ତି। ୧୦୬ ଦିନ ଜେଲ୍ରେ ବିତାଇବା ପରେ ଚିଦାମ୍ବରମ୍ ବୁଧବାର ଦିନ ଜେଲ୍ରୁ ବାହାରିଛନ୍ତି।
ତାଙ୍କ ପୁଅ ତଥା ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କାର୍ତ୍ତି ଚିଦାମ୍ବରମ୍ ଏବଂ କଂଗ୍ରେସର ବେଶ୍ କିଛି କର୍ମୀ ଆଜି ଚିଦାମ୍ବରମ୍ଙ୍କ ବାହାରିବାକୁ ଅପେକ୍ଷା କରିରହିଥିଲେ। ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ପାଛୋଟି ନେବାପାଇଁ ସେମାନେ ଭିଡ଼ ଜମାଇଥିଲେ।
ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ଚିଦାମ୍ବରମ୍ଙ୍କୁ ବେଲ୍ ଦେଇଥିଲେ। ଆଇଏନ୍ଏକ୍ସ ମିଡିଆ ମାମଲାରେ ତାଙ୍କୁ ବେଲ୍ ଦେଇ କୋର୍ଟ କହିଥିଲେ, ଚିଦାମ୍ବରମ୍ଙ୍କ ନିକଟରେ ରାଜନୀତିକ କ୍ଷମତା ବା ସରକାରୀ ପଦବୀ ନଥିବାରୁ ପ୍ରମାଣକୁ ପ୍ରଭାବିତ କରିପାରିବେ ନାହିଁ। ଏହା ପୂର୍ବରୁ ଇଡିର ଦାବି ରହିଥିଲା ପ୍ରମାଣ ପ୍ରଭାବିତ ହେବାର ଥିବାରୁ ତାଙ୍କୁ ଜାମିନ ନ ଦିଆଯାଉ।
Delhi: Congress leader P Chidambaram released from Tihar Jail; Earlier today, Supreme Court granted bail to him in the INX Media money laundering case registered by the Enforcement Directorate. pic.twitter.com/UMd5ic4tER
— ANI (@ANI) December 4, 2019
ସୁପ୍ରିମ୍କୋର୍ଟ ଆଜି ୭୪ ବର୍ଷ ବୟସ୍କ ଚିଦାମ୍ବରମ୍ଙ୍କୁ ଜାମିନ ଦେଇ କହିଥିଲେ, ସେ ତାଙ୍କ ବିଷୟରେ ବା ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବାବଦରେ ନା କୌଣସି ପ୍ରେସ୍ ସାକ୍ଷାତକାର ଦେଇପାରିବେ ନା ସର୍ବସାଧାରଣରେ କିଛି କହିପାରିବେ। ଯଦିଓ କୋର୍ଟ କିଛି କହିବାକୁ ମନା କରିଥିଲେ, ଚିଦାମ୍ବରମ୍ ତିହାର ଜେଲରୁ ବାହାରିବା ସମୟରେ ଦେଶର ଅର୍ଥନୀତିକ ସଙ୍କଟ ବାବଦରେ ମତ ଦେଇଥିଲେ।
ଚିଦାମ୍ବରମ୍ଙ୍କ ୨ ଲକ୍ଷ ଟଙ୍କା ପରିମାଣର ବେଲ୍ ବଣ୍ଡ ବଦଳରେ ତାଙ୍କୁ ଜାମିନ୍ ମିଳିଛି। ଗତ ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ଅକ୍ଟୋବର ୧୬ ତାରିଖରେ ତାଙ୍କୁ ଇଡି ଗିରଫ କରିଥିଲା। ଅକ୍ଟୋବର ୨୨ରେ ସିବିଆଇ ମାମଲାରେ ତାଙ୍କୁ ଜାମିନ ମିଳିଥିଲା। ଏହାପରେ ଆଜି ଇଡି ମାମଲାରେ ମଧ୍ୟ ଜାମିନ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।