ନୂଆଦିଲ୍ଲୀ: ନିଜ ବାଣରେ ନିଜେ ଘାଇଲା ହୋଇଛି କଂଗ୍ରେସ। ନିଜ ମୁଖପତ୍ରରେ ପ୍ରକାଶିତ ଲେଖାପାଇଁ ଅକଳରେ ପଡିଛି କଂଗ୍ରେସ। ଦଳର ମୁମ୍ୱାଇ ୟୁନିଟର ମୁଖପତ୍ର ‘କଂଗ୍ରେସ ଦର୍ଶନ’ରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି କଂଗ୍ରେସର ସବୁଠାରୁ ବଡ଼ ଆଇକନ୍ ପଣ୍ଡିତ ଜବାହାରଲାଲ ନେହେରୁ ଓ ପାର୍ଟିର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ। ମୁଖପତ୍ରରେ ପ୍ରକାଶିତ ଏକ ଆର୍ଟିକିଲ୍ ନେହେରୁଙ୍କ କାଶ୍ମୀର ସହ ଚୀନ୍, ତିବ୍ବତ ଓ ନେପାଳ ଭଳି ବିଦେଶ ନୀତି ଉପରେ ପ୍ରଶ୍ନଚିହ୍ନ ଠିଆ କରିବା ସହ ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୋରଦାର ପ୍ରଶଂସା କରିଛି। ଏପରିକି କାଶ୍ମୀର ବିବାଦ ପାଇଁ ନେହେରୁଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଏଥିରେ ଦାୟୀ କରାଯାଇଛି। ନେହେରୁ ଯଦି ପଟେଲଙ୍କ ପରାର୍ମଶ ମାନିଥା’ନ୍ତେ, ତା’ହେଲେ ବିଦେଶ ମାମଲାରେ ଆଜି ଦେଶକୁ ଏତେ ଜଟିଳତାର ସାମ୍ନା କରିବାକୁ ପଡ଼ି ନ ଥା’ନ୍ତା ବୋଲି କୁହାଯାଇଛି। ସେହିପରି ସୋନିଆଙ୍କ ଜୀବନୀ ସଂପର୍କରେ ପ୍ରକାଶିତ ଲେଖା ମଧ୍ୟ ଦଳକୁ ଅଡୁଆରେ ପକାଇଛି। ଗୋଟିଏ ଲେଖାରେ ସୋନିଆ ଇଟାଲୀର ଜଣେ ଫାଶୀବାଦୀ ସୈନିକଙ୍କ ଝିଅ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ଅନ୍ୟ ଏକ ଲେଖାରେ ପ୍ରାଥମିକ ସଦସ୍ୟତା ଗ୍ରହଣ କରିବାର ମାତ୍ର ୬୨ ଦିନରେ ସୋନିଆ ଦଳର ସଭାପତି ହୋଇଥିବା ଏବଂ ସରକାର ଗଢ଼ିବା ପାଇଁ ନିଷ୍ଫଳ ପ୍ରୟାସ କରିଥିବା ବିଷୟ ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।