ନୂଆଦିଲ୍ଲୀ: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବାପାଇଁ ଜିଦ୍ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। ସେହି କ୍ରମରେ ଜଣେ କଂଗ୍ରେସ କର୍ମୀ ଆଜି ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିବାର ସୂଚନା ମିଳିଛି। ଏହ କଂଗ୍ରେସ କର୍ମୀଙ୍କର ପରିଚୟ ଜଣାପଡ଼ିନାହିଁ। ସେ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ଗଣମାଧ୍ୟମକୁ ଏହି କର୍ମୀ କହିଛନ୍ତି, ରାହୁଲ ଗାନ୍ଧି ନିଜର ଇସ୍ତଫା ଫେରାଇ ନ ନେଲେ ମୁଁ ଆତ୍ମହତ୍ୟା କରିବି। କିଛି କଂଗ୍ରେସ ନେତା ରାହୁଲଙ୍କୁ ନିଜ ନିଷ୍ପତ୍ତିରୁ ଓହରିବାକୁ ଆହ୍ୱାନ କରିଛନ୍ତି। ଏପରିକି ଗତ କିଛି ଦିନ ତଳେ ବେଶ୍ କିଛି କଂଗ୍ରେସ ନେତା ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଅନଶନରେ ବସିଥିବା ଦିଲ୍ଲୀର କାର୍ଯ୍ୟକାରୀ କଂଗ୍ରେସ ସଭାପତି ରାଜେଶ ଲିଲୋଠିଆ କହିଛନ୍ତି, ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବରେ ପୂର୍ବବତ୍ କାର୍ଯ୍ୟ କରନ୍ତୁ ବୋଲି ଦାବି କରି ଆମେ ଅନଶନରେ ବସିଛୁ।