ଋଣ ନାଁରେ ଠକେଇ କରୁଛନ୍ତି ଶତାଧିକ ଆପ୍‌, ହେଲେ ଗୁଗଲ...

ହାଇଦ୍ରାବାଦ: ବିଭିନ୍ନ ଆପ୍‌ ଜରିଆରେ ଲୋକଙ୍କୁ ଋଣ ଦେବାକୁ ପ୍ରଲୋଭିତ କରି ଠକେଇ କରୁଥିବା ଗ୍ୟାଙ୍ଗର ଗୁମର ଧୀରେଧୀରେ ଫିଟିବା ଆରମ୍ଭ କରିଛି। ତେଲେଙ୍ଗାନା ପୁଲିସ୍‌ ଆପ ଜରିଆରେ ଋଣ ନାଁରେ ଠକେଇ କରୁଥିବା ଘଟଣାରେ ୫୦ଟି ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଏଥିସହ ଏଭଳି ୧୧୩ଟି ଆପ୍‌କୁ ଗୁଗଲ ତା’ ପ୍ଲେ ଷ୍ଟୋରରୁ ହଟାଇ ଦେଉ ବୋଲି ମଧ୍ୟ ପୁଲିସ୍‌ ଅନୁରୋଧ କରିଛି। ହେଲେ ଗୁଗଲ କେବଳ କିଛି ହାତ ଗଣତି ଆପ୍‌କୁ ଏଯାଏ […]

dx

Hemant Lenka
  • Published: Wednesday, 06 January 2021
  • , Updated: 06 January 2021, 03:32 PM IST

ହାଇଦ୍ରାବାଦ: ବିଭିନ୍ନ ଆପ୍‌ ଜରିଆରେ ଲୋକଙ୍କୁ ଋଣ ଦେବାକୁ ପ୍ରଲୋଭିତ କରି ଠକେଇ କରୁଥିବା ଗ୍ୟାଙ୍ଗର ଗୁମର ଧୀରେଧୀରେ ଫିଟିବା ଆରମ୍ଭ କରିଛି। ତେଲେଙ୍ଗାନା ପୁଲିସ୍‌ ଆପ ଜରିଆରେ ଋଣ ନାଁରେ ଠକେଇ କରୁଥିବା ଘଟଣାରେ ୫୦ଟି ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଏଥିସହ ଏଭଳି ୧୧୩ଟି ଆପ୍‌କୁ ଗୁଗଲ ତା’ ପ୍ଲେ ଷ୍ଟୋରରୁ ହଟାଇ ଦେଉ ବୋଲି ମଧ୍ୟ ପୁଲିସ୍‌ ଅନୁରୋଧ କରିଛି। ହେଲେ ଗୁଗଲ କେବଳ କିଛି ହାତ ଗଣତି ଆପ୍‌କୁ ଏଯାଏ ହଟାଇ ଚୁପ ବସି ପଡ଼ିଛି।

ଆପ୍‌ ଖୋଲି ପ୍ରଥମେ ଲୋକଙ୍କୁ ଋଣ ପାଇଁ ପ୍ରଲୋଭିତ କରିବା ଓ ଏହାପରେ ଟଙ୍କା ନେଇଥିବା ଲୋକଙ୍କୁ ସାଂଘାତିକ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତେଲେଙ୍ଗାନା ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ଏହି ଠକେଇ ଘଟଣାରେ ହାଇଦ୍ରାବାଦ ପୁଲିସ୍‌ ୨୯ଟି, ସାଇବରାବାଦ ପୁଲିସ ୧୦ଟି, ୱାରଙ୍ଗଲ ପୁଲିସ୍‌ ୭ଟି ଓ ରାଚାକୋଣ୍ଡା ପୁଲିସ୍‌ ୪ଟି ମାମଲା ରୁଜୁ କରି ଖୋଳତାଡ଼ କରୁଛି।

ପୁଲିସ୍‌ ଗୋଟିଏ ପରେ ଗୋଟିଏ ମାମଲାର ତଦନ୍ତ କରୁଛି। ହାଇଦ୍ରାବାଦ ପୁଲିସ୍‌ ୪୨ଟି ଆପ୍‌ ସମ୍ପର୍କରେ ଅଭିଯୋଗ ପାଇଛି। ସେହିପରି ରାଚାକୋଣ୍ଡା ପୁଲିସ୍‌ ୧୮ଟି ଆପ ଓ ସାଇବରାବାଦ ପୁଲିସ୍‌ ୨୫ଟି ଆପ୍‌ ଜରିଆରେ ଲୋକଙ୍କୁ ଋଣ ନାଁରେ ଠକା ଯାଉଥିବା ଜାଣିବାକୁ ପାଇଛି।

ସାଇବରାବାଦ ଇନସପେକ୍ଟର ଟି ସଞ୍ଜୟ କୁମାର କହିଛନ୍ତି, ପ୍ରାଥମିକ ଅବସ୍ଥାରେ ଆମେ ୩ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗଲକୁ କହିଥିଲି ଓ ଗୁଗଲ ଏହାକୁ ହଟାଇ ଦେଇଛି। ଏହାପରେ ଆମେ ଆଉ ୧୧୩ଟି ଆପ୍‌କୁ ହଟାଇବାକୁ ଚିଠି ଲେଖିଛୁ। ଏହା ମଧ୍ୟରୁ କିଛି ଆପ୍‌କୁ ଗୁଗଲ ହଟାଇ ଦେଇ ସାରିଲାଣି।

ଆମେ ମୋଟ ୩୫୦ଟି ଋଣ ପ୍ରଦାନକାରୀ ଆପ୍‌ ଠାବ କରିଛୁ। ଏହା ମଧ୍ୟରୁ ୧୧୩ଟି ପ୍ଲେ ଷ୍ଟୋରରେ ରହିଛି। ବାକି ଆପ୍‌କୁ ଦଲାଲମାନେ ସିଧାସଳଖ ଲିଙ୍କ ଆକାରରେ ଲୋକଙ୍କୁ ପାଖକୁ ପଠାଇଛନ୍ତି ବୋଲି ସେ କହିଛନ୍ତି।
ପୁଲିସ୍‌ ଏହି ଘଟଣାରେ ଏକାଧିକ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଚାଇନିଜ ନାଗରିକ ମଧ୍ୟ ରହିଛନ୍ତି। ପ୍ରଥମେ ମୋବାଇଲ ଫୋନ୍‌ ଆପ୍‌ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ଋଣ ଦିଆଯାଉଥିଲା। ହେଲେ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଲୋକଙ୍କୁ ଚାପ ପ୍ରୟୋଗ କରାଯାଉଥିଲା।

ଆରିବିଆଇ ଏପରି ଋଣ ଦେବା ପାଇଁ କୌଣସି ଆପକୁ ଅନୁମତି ଦେଇ ନଥିଲେ ହେଁ ଦୀର୍ଘଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଘଟଣା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍‌ ଦ୍ୱାରା ଋଣ ନେଇଥିଲେ।

ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ। ଏହି ଖବର ପରେ ତେଲେଙ୍ଗାନା ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ପୁଲିସ ହାଇଦ୍ରାବାଦ ସମେତ ହରିଆଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ରେଡ୍‌ କରି ୧୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ସାଇବରବାଦ ପୁଲିସ୍‌ ଆଉ ଏକ ତଦନ୍ତ କରି ୭ ଜଣଙ୍କୁ ବାନ୍ଧିଥିଲା।

ଏମାନଙ୍କ ମଧ୍ୟରେ ଆମେରିକାରୁ ଇଞ୍ଜିନିୟର ଡିଗ୍ରୀ ହାସଲ କରିଥିବା ୩୨ ବର୍ଷୀୟ ଶରତ ଚନ୍ଦ୍ରା ରହିଥିଲା। ସେ Onion Credit Pvt Ltd and Cred Fox Technologies ଦ୍ୱାରା ଋଣ କାରବାର ଚଳାଇଥିଲା।

Related story