ନୂଆଦିଲ୍ଲୀ: ଦେଶସାରା ଲକ୍ଡାଉନ୍ ଏବଂ ‘କର୍ଫ୍ୟୁ ସ୍ଥିତି’ ପାଇଁ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆସିବାକୁ ଥିବା ‘ପ୍ରୋଟେକ୍ଟିଭ୍ ଗିଅର’ ପହଞ୍ଚିବାରେ ବିଳମ୍ବ ହେବ। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କୁହାଯାଉଛି ଏହା ପହଞ୍ଚିବାରେ ପ୍ରାୟ ୧ ମାସ ବିଳମ୍ବ ହୋଇପାରେ। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭି ରାଷ୍ଟ୍ରାୟତ୍ତ କମ୍ପାନୀ ଏଚ୍ଏଲ୍ଏଲ୍ ଲାଇଫ୍କେଆରର ଇମେଲ୍ରୁ ଏହି ତଥ୍ୟ ହାସଲ କରିଛି।
ଏହି କମ୍ପାନୀ ହିଁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ପାଇଁ ‘ପ୍ରୋଟେକ୍ଟିଭ୍ ଗିଅର’ କିଣିବାର ଅଛି। ଦକ୍ଷିଣ-ପଶ୍ଚିମ ରେଲ୍ୱେ ହସ୍ପିଟାଲ ପର୍ସନାଲ ପ୍ରୋଟେକ୍ସନ୍ ଇକ୍ୟୁପମେଣ୍ଟ (ପିପିଇ) କିଟ୍ ପାଇଁ ଲେଖିଥିବା ମେଲ୍ର ଉତ୍ତରରେ ଏହି ତଥ୍ୟ ଦିଆଯାଇଛି। ଏହି ମେଲ୍ରେ ୧୩,୦୦୦ କିଟ୍ ମଗା ଯାଇଥିଲା। ଏଥିରେ କଭରଲ୍, ମାସ୍କ, ଗ୍ଲୋଭସ୍ ଏବଂ ଗଗଲ୍ସ ଆଦି ଥିଲା। ଏଚ୍ଏଲ୍ଏଲ୍ କୋଟେସନ୍ ଦେଇଥିଲେ ହେଁ ବଜାରରେ ବର୍ତ୍ତମାନ ଏହାର ଅଭାବ ରହିଥିବା ସ୍ୱୀକାର କରାଯାଇଛି।
ଏହି ଇମେଲ୍ରେ ଲେଖାଯାଇଛି, ମ୍ୟାଟେରିଆଲର ପରିମାଣରେ ଅଭାବ ଏବଂ ବିଭିନ୍ନ ସରକାରୀ ଅନୁଷ୍ଠାନର ଚାହିଦା କାରଣରୁ ଡେଲିଭରୀରେ ଡେରିରେ ହେବ। ଏପରିକି କମ୍ପାନୀର ୱେୟାର ହାଉସ୍ରୁ ଯେଉଁଦିନ ବିଲିଂ ହେବ ଏହାଠାରୁ ମାସେ ପରେ ସାମଗ୍ରୀ ଉପଲବ୍ଧ ହେବ ବୋଲି କୁହାଯାଇଛି।
ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସବୁ ସାମଗ୍ରୀ କିଣିବା ପାଇଁ ନିଆଯାଉଥିବା ପଦକ୍ଷେପ ବାବଦରେ କୁହାଯାଇଥିଲା। ଏଥିରେ କୁହାଯାଇଥିଲା ସରକାର ୬୦ ହଜାର ଓଭରାଲ କିଣାଯାଇସରିଛି। ୬୦ ଲକ୍ଷ ପିପିଇ କିଟ୍ର ଅର୍ଡର ରହିଛି। ଏଥିରୁ ଅଧା ଘରୋଇ କମ୍ପାନୀରେ ପ୍ରସ୍ତୁତ ହେଉଛି। ବାକି ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆରୁ କିଣାଯିବ। ବର୍ତ୍ତମାନ ଦେଶରେ ୪ ଲକ୍ଷ ପିପିଇ ଷ୍ଟକ୍ ରହିଛି। ପିପିଇ ବିଦେଶରୁ କେବେ ଆସିବ ତାହା ଏଥିରେ ସ୍ପଷ୍ଟ କରାଯାଇନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।