ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ଼ ସଫଳତା। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସକୁ ବିଚାରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଭାରତର ଦଲବୀର ଭଣ୍ଡାରୀ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭଣ୍ଡାରୀ ଓ ବ୍ରିଟେନର ପ୍ରାର୍ଥୀ କ୍ରିଷ୍ଟୋଫର ଗ୍ରିନ୍ଉଡ୍ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୧୧ ରାଉଣ୍ଡ ଭୋଟିଂ ପରେ ବି ଫଳାଫଳ ବାହାରି ନ ଥିଲା। ଶେଷ ମୁହୂର୍ତ୍ତରେ ବ୍ରିଟେନର ପ୍ରତିନିଧି ରେସ୍ରୁ ଓହରି ଯାଇଥିବାରୁ ଜଷ୍ଟିସ୍ ଦଲବୀର ଭଣ୍ଡାରି ବିଜୟୀ ହୋଇଛନ୍ତି । ଜଷ୍ଟିସ୍ ଭଣ୍ଡାରୀଙ୍କ ପ୍ରତି ଜାତିସଂଘ ସାଧାରଣ ପରିଷଦର ବିପୁଳ ସମର୍ଥନ ଥିଲା । ୧୯୩ ସଦସ୍ୟ ମଧ୍ୟରୁ ୧୬୦ରୁ ଅଧିକ ସଦସ୍ୟ ଜଷ୍ଟିସ ଭଣ୍ଡାରୀଙ୍କୁ ସମର୍ଥନ କରିଥିଲେ।
କିନ୍ତୁ ବ୍ରିଟେନର ପ୍ରାର୍ଥୀଙ୍କୁ ସୁରକ୍ଷା ପରିଷଦର ସମର୍ଥନ ଥିଲା । ତେବେ ଜଷ୍ଟିସ୍ ଭଣ୍ଡାରୀଙ୍କ ପ୍ରତି ସାଧାରଣ ପରିଷଦର ବିପୁଳ ସମର୍ଥନ ଦେଖି ଶେଷରେ ବ୍ରିଟେନ ପ୍ରାର୍ଥୀ ରେସ୍ରୁ ଓହରି ଯାଇଥିଲେ। ଜାତିସଂଘର ସାଧାରଣ ପରିଷଦର ମତକୁ ସମ୍ମାନ ଦେବାକୁ ବାଧ୍ୟ ହୋଇଛି ଶକ୍ତିଶାଳୀ ସୁରକ୍ଷା ପରିଷଦ। ଜଷ୍ଟିସ ଭଣ୍ଡାରୀଙ୍କ ବିଜୟ ଦ୍ୱାରା ଗତ ୭୧ ବର୍ଷ ମଧ୍ୟରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ରେ ପ୍ରଥମ ଥର ପାଇଁ ବ୍ରିଟେନ ପ୍ରତିନିଧିତ୍ୱ ହରାଇଛି। ଜଷ୍ଟିସ୍ ଭଣ୍ଡାରୀଙ୍କ ସହିତ ଆଇସିଜେରେ ୫ ଜଣ ବିଚାରପତିଙ୍କ କାର୍ଯ୍ୟକାଳ ୨୦୧୮ ଫେବ୍ରୁଆରିରୁ ଆରମ୍ଭ ହେବ। ଜଷ୍ଟିସ ଭଣ୍ଡାରିଙ୍କ ବିଜୟରେ ଟ୍ୱିଟ୍ କରି ଖୁସି ପ୍ରକାଶ କରି ଏହା ଭାରତ ପାଇଁ ବଡ଼ ବିଜୟ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।