ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମିବା ପାଇଁ ନଭେମ୍ୱର ୪ରେ ଲାଗୁ ହୋଇଥିଲା ଯୁଗ୍ମ-ଅଯୁଗ୍ମ ନିୟମ। ଆଜି ଏହି ନିୟମର ଅବଧି ଆଜି ଶେଷ ହେଉଛି। ଶନିବାର ଏବଂ ରବିବାର ଏହି ନିୟମ ଲାଗୁ ହେବ ନାହିଁ। ସୋମବାର ସମସ୍ତ ରିପୋର୍ଟର ସମୀକ୍ଷା ପରେ ଯୁଗ୍ମ-ଅଯୁଗ୍ମ ନିୟମ ଆଉ ଥରେ ଲାଗୁ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।
ବାୟୁମଣ୍ଡଳର ପ୍ରଦୂଷଣ ଉପରେ ନଜର ରଖୁଥିବା ମନିଟରିଂ ଟିମ୍ ଆଶା ରଖିଛନ୍ତି, ୨-୩ ଦିନ ମଧ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା କମିଯିବ। ତେଣୁ ଆଗାମୀ ଦିନରେ ଏହି ନିୟମ ଲାଗୁ ହେବା ଦରକାର ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନିୟମ ଲାଗୁ ହେବା ଦ୍ୱାରା ଲୋକମାନେ ମଧ୍ୟ ଅନେକ ଅସୁବିଧାରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି। ଦିଲ୍ଲୀ ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେଉ ନାହିଁ ବରଂ ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା ଫଳରେ ପ୍ରଦୂଷଣ ବଢ଼ୁଛି ବୋଲି ସେ କହିଛନ୍ତି। ଏଥିପାଇଁ ତାଙ୍କ ସରକାର ଚିନ୍ତିତ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଏବେ କମି ନାହିଁ। ଏବେ ବି ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ଥିବା ସୂଚନା ରହିଛି। ଆଜି ସକାଳ ୧୧ଟା ୩୦ ଯାଏ ମଧ୍ୟ ବାୟୁମଣ୍ଡଳର ମାନ ଅତି ଖରାପ ଥିଲା ଜଣାପଡ଼ିଛି। ଏଥିପାଇଁ ଦିଲ୍ଲୀର ସ୍କୁଲ ସବୁ ବନ୍ଦ ରହିଛି। ବାୟୁମଣ୍ଡଳରେ ଥିବା ପ୍ରଦୂଷଣ ପାଇଁ ଦିଲ୍ଲୀବାସୀ ଏବେ କାଶ, ଚର୍ମ ରୋଗ, ଗଳାରେ ସଂକ୍ରମଣ, ଆଖି କୁଣ୍ଡେଇ ହେବା, ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିବା ସୂଚନା ରହିଛି।
ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କ ଏହି ନିୟମକୁ ନେଇ ଜବାବ ତଲବ କରିସାରିଛନ୍ତି। ଯୁଗ୍ମ-ଅଯୁଗ୍ମ ନିୟମ କରିବା ପରେ କେତେ ପ୍ରଦୂଷଣ ମାତ୍ରା କମିଛି ସେ ବାବଦରେ ତଥ୍ୟ ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି ସୁପ୍ରିମକୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।