ନୂଆଦିଲ୍ଲୀ: ବେଲୁର ମଠଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିକ ଭାଷଣକୁ ନେଇ ସୋମବାର ରାମକୃଷ୍ଣ ମିଶନ୍ ସଦସ୍ୟମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ରାମକୃଷ୍ଣ ମିଶନ୍ର ମୁଖ୍ୟାଳୟ ବେଲୁର ମଠ ଏକ ଅଣରାଜନୀତିକ ପ୍ଲାଟଫର୍ମ ହୋଇଥିବାରୁ ଏହା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି।
ମୋଦି ବେଲୁର ମଠଠାରେ ଏକତ୍ରିତ ଲୋକଙ୍କୁ ସିଏଏ ବାବଦରେ ଭାଷଣ ଦେବାର ଗୋଟିଏ ଦିନ ପରେ ରାମକୃଷ୍ଣ ମିଶନ୍ ସଦସ୍ୟ ଗୌତମ ରାୟ କହିଛନ୍ତି, ଅଣ ରାଜନୀତିକ ସଂଗଠନ ରାମକୃଷ୍ଣ ମିଶନ୍ ପ୍ଲାଟଫର୍ମରୁ ବିବାଦୀୟ ରାଜନୀତିକ ବାର୍ତ୍ତା ଆମକୁ ଆଘାତ ଦେଇଛି।
ସେ କହିଛନ୍ତି, ମୁଁ ଦୁଇଟା କଥା ସ୍ପଷ୍ଟ କରିଦେବାକୁ ଚାହେଁ। ରାମକୃଷ୍ଣ ମିଶନ୍ର ଏକ ବିସ୍ତୃତ ଏବଂ ଅଫିସିଆଲ ଶୁଦ୍ଧିକରଣ ପ୍ରକ୍ରିୟା ରହିଛି। ତାଙ୍କର ଶୁଦ୍ଧିକରଣ କରାଯାଇନଥିଲା। ଦ୍ୱିତୀୟ କଥା ହେଉଛି ସେ ଏଠାକୁ ଆସି ରାଜନୀତିକ ମନ୍ତବ୍ୟ ଦେବାକୁ ଅନୁମତି ଦିଆଯାଇପାରିବନି। ରାୟ କହିଛନ୍ତି, ଆରଏସ୍ଏସ୍ ସହ ଜଡ଼ିତ ଲୋକଙ୍କୁ ସାମିଲ କରି ପ୍ରୋତ୍ସାହନ ଦେଇ ଗତ କିଛି ବର୍ଷରେ ରାମକୃଷ୍ଣ ମିଶନ୍ର ରାଜନୀତିକରଣ ହେଉଛି। ମୋଦିଙ୍କ ଗସ୍ତ ଏହି ଟ୍ରେଣ୍ଡର ଏକ ଅଂଶ।
ବେଲୁର ମଠଠାରେ ମୋଦି କହିଥିଲେ, ନୂଆ ଆଇନ କାହାର ନାଗରିକତା ନେଇଯିବନି। ମୋଦି କହିଥିଲେ, କିଛି ଯୁବଗୋଷ୍ଠୀଙ୍କୁ ନାଗରିକତା ସଂଶୋଧନ ଆଇନ ନାମରେ ପଥଭ୍ରଷ୍ଟଠ କରାଯାଇଥିଲା। ବେଲୁର ମଠ ପକ୍ଷରୁ ରାମକୃଷ୍ଣ ମଠ ଓ ମିଶନ୍ ଜେନେରାଲ ସେକ୍ରେଟାରୀ ସ୍ୱାମୀ ସୁଭିରାନନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ସିଏଏ ବାବଦରେ ଭାଷଣକୁ ନେଇ ମଠ କିଛି କହିବନାହିଁ। ଆମେ ସମ୍ପୂର୍ଣ୍ଣ ଅଣରାଜନୀତିକ ଅନୁଷ୍ଠାନ। ଆମେ ଘର ଛାଡ଼ି ଆସିଛୁ ଚିରନ୍ତନ ଆହ୍ୱାନ ବାବଦରେ ମତ ରଖିବା ପାଇଁ, କ୍ଷଣସ୍ଥାୟୀ ପ୍ରସଙ୍ଗରେ ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।