ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍ ହଜାରୀଠାରେ ପୁଲିସ୍ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛି। କୋର୍ଟ ଆଜି ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର କମିଶନର ସଞ୍ଜୟ ସିଂହ ଏବଂ ଡେପୁଟୀ କମିଶନର ହରିନ୍ଦର ସିଂହଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଘଟଣାକୁ ନେଇ ସ୍ୱତନ୍ତ୍ର ଶୁଣାଣିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ମାମଲାର ତଦନ୍ତ ଦାୟିତ୍ୱ ପୂର୍ବତନ ବିଚାରପତି ଏସ୍ପି ଗର୍ଗଙ୍କୁ ଦିଆଯାଇଛି।
ଜଷ୍ଟିସ୍ ଗର୍ଗଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ, ଭିଜିଲାନ୍ସ ସେଲ ଏବଂ ସିବିଆଇ ସହଯୋଗ କରିବେ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପୀଡ଼ିତଙ୍କ ବୟାନ ରେକର୍ଡ କରାଯିବ ଏବଂ ଏହାପରେ ଏଫ୍ଆଇଆର ରୁଜୁ କରାଯିବ। ୩ ଜଣ ଓକିଲଙ୍କୁ ଯଥାକ୍ରମେ ୫୦ ହଜାର, ୨୫ ହଜାର ଏବଂ ୧୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି।
କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ପୁଲିସ୍ ମୁଖ୍ୟ ଆହତ ଓକିଲଙ୍କ ବୟାନ ରେକର୍ଡ କରିବେ। ଏଥିସହିତ ଓକଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ କହିଥିଲେ। ଦିଲ୍ଲୀ ପୁଲିସ୍ ଏହା ପୂର୍ବରୁ ୪ଟି ଏଫ୍ଆଇଆର ରୁଜୁ କରିସାରିଛି।