ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର ପ୍ରାୟ ସମସ୍ତ ବରିଷ୍ଠ ପ୍ରଶାସକ ଗୁରୁବାର ସାମୂହିକ ଛୁଟିରେ ଯାଇଛନ୍ତି। ଦୁଇ ଜଣ ବରିଷ୍ଠ ପ୍ରଶାସକଙ୍କୁ ନିଲମ୍ବିତ କରାଯିବା ପ୍ରତିବାଦରେ ଏହି ଅଧିକାରୀମାନେ ସାମୂହିକ ଛୁଟିରେ ଯାଇଛନ୍ତି। ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ପଦକ୍ଷେପ ପଛରେ ଯୋଜନାବଦ୍ଧ ‘ଷଡ଼ଯନ୍ତ୍ର’ ରହିଛି ବୋଲି ଅଭିଯୋଗ କରିଛି ଆପ୍। କାରଣ ଦୁଇ ଅଧିକାରୀଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର।
ଡିଏଏନଆଇସିଏସ୍ (ଦିଲ୍ଲୀ, ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍)ର ପ୍ରାୟ ୨୦୦ ଅଧିକାରୀ ଆଜି ଛୁଟିରେ ଯାଇଥିବା ବେଳେ ୭୦ରୁ ଅଧିକ ଆଇଏଏସ୍ ଅଧିକାରୀ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି ଯେ ଆଜି ଛୁଟିରେ ଯାଇଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ପାଖରେ ଅନେକ ବିକଳ୍ପ ରହିଛି। କୌଣସି ପରିସ୍ଥିତିରେ ବି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଦିଲ୍ଲୀର ଡିଏଏନଆଇସିଏସ୍ ଓ ଆଇଏଏସ୍ ସଂଘ ହେଉଛନ୍ତି ବିଜେପିର ‘ବି’ ଟିମ୍। ଦିଲ୍ଲୀ ଉପରାଜ୍ୟପାଳ ଓ ଅଫିସରଙ୍କ ସହଯୋଗରେ ପ୍ରଧାନମନ୍ତ୍ରୀ ଆପ ସରକାରକୁ ଅଚଳ କରି ଦେବାକୁ ଚାହୁଁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଛୁଟିରେ ଥିବା ଅଧିକାରୀମାନେ ଲମ୍ବା ଛୁଟିରେ ଗଲେ ଲୋକେ ଖୁସି ହେବେ। ସରକାର ବି ସେମାନଙ୍କୁ ଲମ୍ବା ଛୁଟିରେ ଯିବାକୁ ଅନୁମତି ଦେବେ। ସରକାର ସ୍ୱଚ୍ଛତାର ସହିତ ଚାଲିବ।
ଡିଏଏନଆଇସିଏସ୍ (ଦିଲ୍ଲୀ, ଆଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍)ର ଦୁଇ ଅଧିକାରୀ ଯଶପାଲ ଗର୍ଗ ଓ ସୁଭାଷ ଚନ୍ଦ୍ର (ଉଭୟ ସ୍ୱତନ୍ତ୍ର ସେକ୍ରେଟାରୀ) କ୍ୟାବିନେଟ୍ ଦ୍ୱାରା ମଂଜୁର ଏକ ଫାଇଲରେ ଦସ୍ତଖତ କରିବାକୁ ମନା କରିବା ପରେ ସେମାନଙ୍କୁ ଦିଲ୍ଲୀ ସରକାର ନିଲମ୍ବିତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।