ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିମୁଦ୍ରାକରଣକୁ ନେଇ ଆଜି ମଧ୍ୟ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଏକ ବଡ ସଫଳତା ବୋଲି କହିବା ସହ କଳାଧନ ମୁକ୍ତ ଦିବସ ଭାବେ ପାଳନ କରିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ବିମୁଦ୍ରାକରଣକୁ ପ୍ରଶଂସା କରିଛନ୍ତି। ଏହା ୧୨୫ କୋଟି ଭାରତୀୟଙ୍କ ଲଢେଇର ବିଜୟ ବୋଲି ସେ କହିଛନ୍ତି। ଭ୍ରଷ୍ଟାଚାର ଏବଂ କଳାଧନ ବିରୋଧରେ ଲଢେଇକୁ ସମର୍ଥନ କରିଥିବାରୁ ଭାରତୀୟ ଜନତାଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ନଗଦ କାରବାର ହ୍ରାସ କରିବା ସହ ଭ୍ରଷ୍ଟାଚାର ଓ କଳାଧନ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଭିନ୍ନ ସହରରେ ବାଣ ଫୁଟାଇ ବିମୁଦ୍ରାକରଣକୁ ଏନ୍ଡିଏ ସରକାରଙ୍କ ସଫଳତା ବୋଲି ବଖାଣିଛନ୍ତି ଦଳୀୟ ନେତା।
ବିମୁଦ୍ରାକରଣ ଦ୍ୱାରା ଆତଙ୍କବାଦ ମୂଳୋତ୍ପାଟନ କରାଯାଇ ପାରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ହେବା ପରେ ପାକିସ୍ତାନ ପଠାଉଥିବା ଜାଲି ନୋଟ୍ ଉପରେ ଅଙ୍କୁଶ ଲଗାଯାଇ ପାରିଛି ବୋଲି ସେ କହିଛନ୍ତି।
ସେପଟେ ବିମୁଦ୍ରାକରଣର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ସାରା ଦେଶରେ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ବିମୁଦ୍ରାକଣକୁ କଳାଦିବସ ଭାବେ ପାଳନ କରି ଦେଶବ୍ୟାପୀ ବିକ୍ଷୋଭ କରିଛି କଂଗ୍ରେସ। ଏହି ପଦକ୍ଷେପକୁ ବିରୋଧୀ ସମାଲୋଚନା କରିବା ସହ ଏହା ଦ୍ୱାରା ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୂଶୁଡି ପଡିଥିବା ବିରୋଧୀ କହିଛନ୍ତି। ତେବେ ନିଆରା ଢଙ୍ଗରେ ଏହାର ବିରୋଧ କରିଛି ତୃଣମୂଳ କଂଗ୍ରେସ। ବିମୁଦ୍ରାକରଣ ସମୟରେ ହୋଇଥିବା ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହାର ବିରୋଧ କରିଛି ଟିଏମ୍ସି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।