ଜାମସେଦପୁର (ଓଡ଼ିଶା ରିପୋର୍ଟର): ଆଜି ଝାଡ଼ଖଣ୍ଡର ଜାମସେଦପୁରଠାରେ ପ୍ରାକୃତିକ ଗ୍ୟାସ ପାଇପଲାଇନ(ପିଏନଜି ଏବଂ ସିଏନଜି) ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହିତ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମାଣ ହେବାକୁ ଥିବା ୧୨୫ କିମି ଲମ୍ୱା ପୁରୁଲିଆ-ଜାମସେଦପୁର ସ୍ପରଲାଇନ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରିଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏଚପିସିଏଲର ବଟଲିଂ ପ୍ଲାଂଟ ଜାମସେଦପୁରର ଏବଂ ଆଖପାଖ ଅଂଚଳର ଉଜ୍ଜଳା ଯୋଜନା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ବ୍ୟତୀତ ସିଏନଜି ଓ ପିଏନଜି ଦ୍ୱାରା ଏଠାରେ ପରିବେଶ ସୁରକ୍ଷିତ ରହିବ ଏବଂଲୋକଙ୍କୁ ଶସ୍ତା ଇନ୍ଧନ ଉପଲବ୍ଧ ହେବ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ନୂଆ ଜାମସେଦପୁର ବନାଇବାରେ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଦ୍ୟମରତ। ମୁମ୍ୱାଇ, ଚେନ୍ନାଇ ତଥା ବାଙ୍ଗାଲୋର ଭଳି ମେଟ୍ରୋ ସିଟିମାନଙ୍କରେ ଲୋକମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଉଛନ୍ତି ଜାମସେଦପୁର ଭଳି ସ୍ଥାନରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ।
ଜାମସେଦପୁର ସହରର ବିଭିନ୍ନ ଉଦ୍ୟୋଗରେ ମଧ୍ୟ ଗ୍ୟାସ ଆଧାରିତ ଇନ୍ଧନ ପହଞ୍ଚୁ ଏହା ସରକାରଙ୍କ ଲକ୍ଷ୍ୟ। ଜାମସେଦପୁର ଠାରେ ୨୨୧ କୋଟି ଟଙ୍କା ବ୍ୟୟରେ ଏପରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
ମୋଦି ସରକାର ପୂର୍ବ ଭାରତକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି। କେବଳ ପିଏନଜି, ସିଏନଜିରକ ନୁହେଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତଥା ରାସ୍ତାଘାଟ, ରେଳ, ଘରକୁ ପାଣି, ବିମାନ ସେବାର କାମ ପୂର୍ବ ଭାରତରେ ତ୍ୱରାନ୍ୱିତ ହୋଇଛି। ଦେଶର କୋଟି ଘରେ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ଗ୍ୟାସ ପହଞ୍ଚିପାରିଛି।