ନୂଆଦିଲ୍ଲୀ: ଅର୍ଥନୀତିକ ମାନ୍ଦାବସ୍ଥା ସୁଧାରିବା ପାଇଁ ପ୍ରାଣପ୍ରଣେ ଲାଗିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏଥିପାଇଁ ଲଗାତାର ସାମ୍ବାଦିକ ସମ୍ମଳିନୀ କରିବା ସହ ନୂଆ ନୂଆ ଘୋଷଣା ସବୁ କରୁଛନ୍ତି। ଏହି କ୍ରମରେ ଆଜି ସେ କହିଛନ୍ତି ଭାରତ ଶପିଂ ଫେଷ୍ଟିଭାଲ ଆୟୋଜନ କରିବ। ଏଥିରେ ବିଶ୍ୱର ବିଭିନ୍ନ ବଡ଼ ବଡ଼ ଉତ୍ପାଦନକାରୀ ଏବଂ ଗ୍ରାହକ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ। ରପ୍ତାନୀ ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସେ କହିଛନ୍ତି, ଦେଶର ୪ଟି ସ୍ଥାନରେ ଏଭଳି ‘ମେଗା ଶପିଂ ଫେଷ୍ଟିଭାଲ’ ଆୟୋଜିତ ହେବ। ଏସବୁର ଥିମ୍ ଯଥାକ୍ରମେ ଜ୍ୱେଲାରୀ, ଟେକ୍ସଟାଇଲ୍, ଚମଡ଼ା ଏବଂ ଯୋଗ ଆଦି ରହିବ। ଆଜି ସେ, ରପ୍ତାନୀ ଉପରେ ଲାଗୁ ହେଉଥିବା ଶୁଳ୍କ ହ୍ରାସ କରାଯାଇଥିବା ବାବଦରେ ମଧ୍ୟ ଘୋଷଣା କରିଛନ୍ତି। ଗତ ଅଗଷ୍ଟ ମାସରେ ଗତ ବର୍ଷ ତୁଳନାରେ ରପ୍ତାନୀ ୬.୦୫% ହ୍ରାସ ହୋଇଥିବାରୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ସ ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରିଫଣ୍ଡ ବ୍ୟବସ୍ଥା କରାଯିବ। ଚଳିତ ମାସ ଶେଷ ଆଡ଼କୁ ଏହି ବ୍ୟବସ୍ଥା ଲାଗୁ ହୋଇଯିବ। ତ୍ୱରିତ ଏବଂ ସ୍ୱୟଂଚଳିତ ରିଫଣ୍ଡିଂ ପାଇଁ ଏହି ବ୍ୟବସ୍ଥା କରାଯିବ।