ନୂଆଦିଲ୍ଲୀ: ଆଗକୁ ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳୀୟ ଚିହ୍ନ ‘ତୀର’ରେ ନିର୍ବାଚନ ଲଢ଼ିପାରିବ ନାହିଁ। ନିର୍ବାଚନ କମିଶନ ଆଜି ଏହି ସୂଚନା ଦେଇଛନ୍ତି।
ମହାରାଷ୍ଟର ଆଞ୍ଚଳିକ ଦଳ ଶିବସେନା ଏବଂ ଝାରଖଣ୍ଡର ଆଞ୍ଚଳିକ ଦଳ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଚିହ୍ନ ‘ତୀର’ ରହିଛି। ତେଣୁ ଜେଡିୟୁ ଯଦି ତୀର ଚିହ୍ନରେ ଉଭୟ ରାଜ୍ୟରେ ନିର୍ବାଚନ ଲଢ଼େ, ତା'ହେଲେ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଏ ନେଇ ଜୁନ୍ ୨୪ରେ ଜେଏମଏଏମ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଏହାପରେ ଆଜି ନିର୍ବାଚନ କମିଶନ ଏହି ଅଭିଯୋଗକୁ ଗ୍ରହଣ କରି ଜେଡିୟୁର ‘ତୀର’ ଚିହ୍ନ ଉପରେ ମହାରାଷ୍ଟ୍ର ଓ ଝାରଖଣ୍ଡର ନିର୍ବାଚନ ବେଳେ ଅଙ୍କୁଶ ଲଗାଇଛନ୍ତି।
ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ନେଇ ଜେଡିୟୁ ନେତା ରାଜୀବ ରଞ୍ଜନ ପ୍ରତିକ୍ରିୟା ରଖିଛନ୍ତି। ପୁଣି ଥରେ ଏ ବାବଦରେ ବିଚାର କରିବା ପାଇଁ ଜେଡିୟୁ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହେବ, ନଚେତ ଆଗାମୀ ଦିନରେ ହାଇକୋର୍ଟରେ ଇସିଙ୍କ ନିଷ୍ପତ୍ତିକୁ ଦଳ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଛନ୍ତି।