ଚନ୍ଦ୍ରଯାନ-୨: ସରିନି ମିଶନ୍‌, ମଉଳିନି ଅପେକ୍ଷା

ନୂଆଦିଲ୍ଲୀ: ଶନିବାର ଭାରତ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବାର ମାତ୍ର ୨ ମିନିଟ୍‌ ଏବଂ ୨ କିଲୋମିଟର ପୂର୍ବରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ଘଟିଛି। ଏହାପରେ ମିଶନ୍‌ ଚନ୍ଦ୍ରଯାନ-୨ର ପୂର୍ଣ୍ଣ ସଫଳତାକୁ ନେଇ ଆଶା ଓ ଆଶଙ୍କା ଜାରି ରହିଛି। ବର୍ତ୍ତମାନ ମଧ୍ୟ ଚନ୍ଦ୍ରକୁ ପ୍ରଦିକ୍ଷଣ କରୁଥିବାରୁ ଏହି ମିଶନ୍‌ ବିଫଳ ନୁହେଁ ବୋଲି ଇସ୍ରୋ ସହିତ ବିଶ୍ୱର ବିଭିନ୍ନ ମହାକାଶ ବିଜ୍ଞାନୀ ସ୍ୱୀକାର କରିଛନ୍ତି। ଆଜି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦୂରଦର୍ଶନକୁ ସାକ୍ଷାତକାରରେ […]

sivan-k

Subrat Kumar Nayak
  • Published: Saturday, 07 September 2019
  • , Updated: 07 September 2019, 09:42 PM IST

ନୂଆଦିଲ୍ଲୀ: ଶନିବାର ଭାରତ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିବାର ମାତ୍ର ୨ ମିନିଟ୍‌ ଏବଂ ୨ କିଲୋମିଟର ପୂର୍ବରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ବିଚ୍ଛିନ୍ନ ଘଟିଛି। ଏହାପରେ ମିଶନ୍‌ ଚନ୍ଦ୍ରଯାନ-୨ର ପୂର୍ଣ୍ଣ ସଫଳତାକୁ ନେଇ ଆଶା ଓ ଆଶଙ୍କା ଜାରି ରହିଛି। ବର୍ତ୍ତମାନ ମଧ୍ୟ ଚନ୍ଦ୍ରକୁ ପ୍ରଦିକ୍ଷଣ କରୁଥିବାରୁ ଏହି ମିଶନ୍‌ ବିଫଳ ନୁହେଁ ବୋଲି ଇସ୍ରୋ ସହିତ ବିଶ୍ୱର ବିଭିନ୍ନ ମହାକାଶ ବିଜ୍ଞାନୀ ସ୍ୱୀକାର କରିଛନ୍ତି। ଆଜି ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ଦୂରଦର୍ଶନକୁ ସାକ୍ଷାତକାରରେ କହିଛନ୍ତି, ଆଗାମୀ ୧୪ ଦିନ (ଚନ୍ଦ୍ରରେ ଗୋଟିଏ ଦିନ) ପାଇଁ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯିବ। ଶନିବାର ବିକ୍ରମ ନୀରବି ଯିବାପରେ ଏକ ପ୍ରକାର ଭାଙ୍ଗି ପଡ଼ିଥିବା ଶିବନ୍‌ ଆଜି ଦୂରଦର୍ଶନରେ ମୁହଁ ଖୋଲିଛନ୍ତି।

ଏହି ଅପରେସନ୍‌ର ଶେଷ ଭାଗରେ ହିଁ ତ୍ରୁଟି ରହିବା ମିଶନ୍‌କୁ ଅଧା ରଖିବାର ମୁଖ୍ୟ କାରଣ ବୋଲି ଶିବନ୍ କହିଛନ୍ତି। ବିକ୍ରମ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବା ସମୟରେ ହିଁ ଏଭଳ ହୋଇଥିଲା। ଶେଷ ପର୍ଯ୍ୟାୟରେ ଯେପରି ଏହା କାର୍ଯ୍ୟକାରୀ ହେବା କଥା ତାହା ଠିକ୍‌ରେ ହୋଇନଥିଲା ବୋଲି ଶିବନ୍ କହିଛନ୍ତି। ଏହି ଷ୍ଟେଜ୍‌ରେ ହିଁ ବିକ୍ରମ ସହ ଲିଙ୍କ ଫେଲ୍‌ ହୋଇଥିଲା।

ସେ କହିଥିଲେ, ୧.୫୫ ବେଳକୁ ହିଁ ବିକ୍ରମ ସହ ଯୋଗାଯୋଗ ବିଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଏହା ଅବତରଣ କରିବାର ୨.୧ କିଲୋମିଟର ପୂର୍ବରୁ ଏହାର ପ୍ରଦର୍ଶନ ସ୍ୱାଭାବିକ ଥିଲା। ଇସ୍ରୋ ପକ୍ଷରୁ କୁହାଯାଇଛି, କେବଳ ଯୋଗାଯୋଗ ବିଚ୍ଛିନ୍ନ ହେବାକୁ ଛାଡ଼ି ୯୦ରୁ ୯୫% ଯାଏ ଏହି ମିଶନ୍‌ର ଲକ୍ଷ୍ୟ ପୂରଣ ହୋଇଛି। ଅନ୍ୟପକ୍ଷରେ ଚନ୍ଦ୍ର କକ୍ଷପଥରେ ଘୂରିବୁଲୁଥିବା ଅର୍ବିଟରର ଆୟୁଷ ବର୍ଷେ ବଦଳରେ ୭ ବର୍ଷ ଯାଏ ବୃଦ୍ଧିହେବା ଆକଳନ କରାଯାଉଛି। ଅର୍ଥାତ ଆଗାମୀ ୭ ବର୍ଷ ଯାଏ ଚନ୍ଦ୍ରଯାନ-୨ ମିଶନ୍‌ ଭାରତକୁ ତଥ୍ୟ ଯୋଗାଇବ।

ଇସ୍ରୋ ପକ୍ଷରୁ କୁହାଯାଇଛି, ଅର୍ବିଟରରେ ଲାଗିଥିବା ୮ଟି ‘ସ୍ଲେଟ୍‌ ଅଫ୍‌ ଦି ଆର୍ଟ’ ଉପକରଣ ଚନ୍ଦ୍ରର ପରିବର୍ତ୍ତନ ବାବଦରେ ଧ୍ୟାନ ରଖିବା ସହ ଖଣିଜ ଓ ଜଳର ସନ୍ଧାନ କରିବ। ଅର୍ବିଟରରେ ଲାଗିଥିବା କ୍ୟାମେରା ଆଜି ଯାଏ ଚନ୍ଦ୍ର ମିଶନ୍‌ର ସବୁଠାରୁ ଶକ୍ତିଶାଳୀ କ୍ୟାମେରା। ଏହା ସମଗ୍ର ବିଶ୍ୱର କାମରେ ଲାଗିବ।

ତେବେ ଏହି ତ୍ରୁଟି ବହୁ ଚର୍ଚ୍ଚିତ ଗଗନଯାନ ମିଶନ୍‌ ଉପରେ କିଛି ମଧ୍ୟ ପ୍ରଭାବ ପକାଇବନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ମିଶନ୍‌ରେ ମହାକାଶଚାରୀ ଅନ୍ତରୀକ୍ଷକୁ ଯିବାର ଅଛି। ଚନ୍ଦ୍ରଯାନ ଏବଂ ଗଗନଯାନର ଲକ୍ଷ୍ୟ ଏବଂ ବ୍ୟବସ୍ଥା ଭିନ୍ନ ଭିନ୍ନ ବୋଲି ଇସ୍ରୋର ଜଣେ ଅଧିକାରୀ ପିଜି ଦିୱାକର କହିଛନ୍ତି। ଗଗନଯାନ ମିଶନ୍‌ ସହ ସ୍ୟାଟେଲାଇଟ୍‌ ମିଶନ୍‌ ସବୁ ସ୍ୱାଭାବିକ ଭାବେ ଚାଲିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୨ ତାରିଖରେ ଜିଏସ୍‌ଏଲ୍‌ଭି ଏମ୍‌କେ ୩ ବା ବାହୁବଳୀ ରକେଟ୍‌ ଜରିଆରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ କରାଯାଇଥିଲା। ୩,୮୪୦ କେଜି ଓଜନର ଚନ୍ଦ୍ରଯାନ-୨କୁ ନେଇ ଏହା ମହାକାଶକୁ ଯାଇଥିଲା। ଅଗଷ୍ଟ ୧୪ରେ ଏହା ପୃଥିବୀର କକ୍ଷପଥ ଛାଡ଼ି ଅଗଷ୍ଟ ୨୦ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ସେପ୍ଟେମବ୍ର ୨ ତାରିଖରେ ରୋଭର ପ୍ରଜ୍ଞାନ୍‌ ସହ ଲ୍ୟାଣ୍ଡର ବିକ୍ରମ ଅର୍ବିଟରଠାରୁ ଅଲଗା ହୋଇଥିଲା। ଏହାପରେ ଏହି ଲ୍ୟାଣ୍ଡର ଚନ୍ଦ୍ର ଆଡ଼କୁ ମୁହାଁଇଥିଲା।

Related story