ଥାଣେ: ବ୍ୟବସାୟରେ କ୍ଷତି ହେଲା, ତେଣୁ ଋଣ ଶୁଝିବାପାଇଁ ତାଙ୍କ ପକ୍ଷେ କଷ୍ଟକର ହେବାରୁ ଶେଷରେ ସେ ଚୋରି ଉପାୟ ଆପଣାଇଥିଲେ। ଆଉ ଚୋରି ନିଶା ତାଙ୍କୁ ଏପରି ଲାଗିଥିଲା ଯେ, ସେ ଅଣ୍ଡା ଟ୍ରକ୍ ମଧ୍ୟ ଚୋରେଇବାରୁ ନିବୃତ୍ତ ହୋଇନଥିଲେ।
ନଭେମ୍ବର ୧୧ ତାରିଖରେ ହାଇଦ୍ରାବାଦ ବାସିନ୍ଦା ମହମ୍ମଦ ନବି ଶେଖ୍ ଏବଂ ତାଙ୍କ ପୁଅ ୧.୪୧ ଲକ୍ଷଟି ଅଣ୍ଡା ଥିବା ଏକ ଟ୍ରକ୍ ନେଇ ଯାଉଥିଲେ। ଅମ୍ବରନାଥ ନାମକ ଏକ ସ୍ଥାନରୁ ମାତ୍ର ୪ କିମି ଯିବାପରେ ଏକ କାର୍ ତାଙ୍କ ବାଟ ଓଗାଳି ଥିଲା।
ଏହାପରେ ସେହି କାର୍ରୁ ୪ ଜଣ ବାହାରି ନିଜ ମୁହଁରେ ରୁମାଲ୍ ବାନ୍ଧି ମହମ୍ମଦଙ୍କୁ ଏବଂ ତାଙ୍କ ପୁଅକୁ ଆକ୍ରମଣ କରିବା ସହିତ ଛୁରି ଦେଖାଇ କାର୍ ଭିତରକୁ ଟାଣି ନେଇଥିଲେ। ମହମ୍ମଦ ଏବଂ ତାଙ୍କ ପୁଅ ସହିତ ୩ ଜଣ କାର୍ରେ ଯାଇଥିଲେ ଏବଂ ଅନ୍ୟ ଜଣକ ଟ୍ରକ୍ ଚଲାଇଥିଲା।
ଏହା ପରେ ଆରମ୍ଭ ହୋଇଥିଲା ତଦନ୍ତ। କେବଳ ଅଣ୍ଡା ଚୋରି ହୋଇଥିବାରୁ ଅଣ୍ଡା ବ୍ୟବସାୟ ସହିତ ସଂଶ୍ଲିଷ୍ଟ କେହି ଏପରି କରିଥିବା ସନ୍ଦେହ କରାଯାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଭିୱାଣ୍ଡିର ଅଣ୍ଡା ବ୍ୟବସାୟୀ ସାଦତ୍ ଅଲ୍ଲୀ ଏପରି କରିଥିବା ଜଣାପଡ଼ିଥିଲା।
ଏହାପରେ ଅଲ୍ଲୀ ନିଜେ ସମସ୍ତ ଘଟଣା ବାବଦରେ ମାନିଯାଇଥିଲା ଏବଂ ଏଥିରେ ତା’ର ୩ ଜଣ ସାଙ୍ଗ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଥିଲା। ଗତ କିଛି ଦିନ ଧରି ଅଣ୍ଡା ଟ୍ରକ୍ର ଆତଯାତ ସମୟ ଉପରେ ସେ ନଜର ରଖିଥିଲା ଏବଂ ଏହି ଅଣ୍ଡା ସବୁକୁ ବିକ୍ରି କରି ଋଣ ଶୁଝିବ ବୋଲି ଚିନ୍ତା କରିଥିଲା।