ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ହାତକୁ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ମାଲିକାନା ଚାଲିଯିବା ପରେ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। କମ୍ପାନୀ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କାରେ ଥିବା ବେଳେ ଏବେ ଏହା ବାସ୍ତବରେ ପରିଣତ ହେଉଛି। ଅର୍ଥାତ କମ୍ପାନୀ ନିଜର ପ୍ରାୟ ଅଧା କର୍ମଚାରୀଙ୍କ ସମେତ ଭାରତରେ କାର୍ଯ୍ୟରତ ଥିବା ବହୁ କର୍ମଚାରୀଙ୍କୁ ହଟାଇ ଦେଇଛି।
ଟ୍ୱିଟର ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମ୍ପାନୀ ନିଜର ପ୍ରାୟ ୭,୫୦୦ କର୍ମଚାରୀଙ୍କୁ ଗୋଟିଏ ଝଟକାରେ ବାହାର କରି ଦେଇଛି । ସେଥି ମଧ୍ୟରେ ଭାରତର ପ୍ରାୟ ୨୪୦ କର୍ମଚାରୀ ଥିବା ଜଣାଯାଇଛି । କମ୍ପାନୀର ଏବେ ଭାରତରେ ମାତ୍ର ୧୦ ଜଣ କର୍ମଚାରୀ ରହିଛନ୍ତି । ଚାକିରିରୁ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ କମ୍ପାନୀ ଇମେଲ ଆସେସ୍କୁ ବନ୍ଦ କରିଦିଆଯାଇଛି। କମ୍ପାନୀର କର୍ମଚାରୀମାନେ ମଧ୍ୟ ଏହି ଛଟେଇକୁ ନିଶ୍ଚିତ କରିଛନ୍ତି।
ଭାରତର ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବିଶେଷ ଭାବେ ମାର୍କେଟିଂ ଅଧିକାରୀ, ସେଲସ୍, ଇଞ୍ଜିନିୟରିଂ ବିଭାଗରେ କାମ କରୁଥିବା କର୍ମଚାରୀ ଥିବା ସୂଚନା ମିଳିଛି। ଏବେ ଭାରତରେ ଟ୍ୱିଟରର ୨ କୋଟି ୩୬ ଲକ୍ଷରୁ ଅଧିକ ୟୁଜର୍ସ ରହିଛନ୍ତି। ଏଭଳି କ୍ଷେତ୍ରରେ ଏଲନ୍ ମସ୍କଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ଦେଖାଦେଇଛି। ଖାଲି ଭାରତରେ ନୁହେଁ ପୁରା ଟ୍ୱିଟରରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ମସ୍କ ।
ଆମେରିକା ଏବଂ କାନାଡା ପାଇଁ ଟ୍ୱିଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ମିସେଲ ଅଷ୍ଟିନ ଟ୍ୱିଟ କରି କହିଛନ୍ତି ଯେ ଟ୍ୱିଟରରେ ମୋର ଯାତ୍ରା ସମାପ୍ତ ହେବାର ଖବର ଆଜିଠାରୁ ଆରମ୍ଭ ହୋଇଛି। ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ଏହାକୁ ଗ୍ରହଣ କରିବାକୁ ସକ୍ଷମ ନୁହେଁ। '
ସେପଟେ ଏଭଳି ଅଜବ ଗଜବ ନିୟମକୁ ନେଇ ଆମେରିକାରେ ମସ୍କଙ୍କ ବିରୋଧରେ ରୁଜୁ ହେଲାଣି ଏକାଧିକ ମାମଲା। ଛଟେଇ ବିଷୟରେ ଏଲୋନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି, ଟ୍ୱିଟରରେ ଛଟେଇ ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଦୁର୍ଭାଗ୍ୟବଶତଃ, ଏହା ଏକ ସମୟରେ କରାଯାଉଛି ଯେତେବେଳେ କମ୍ପାନୀ ପ୍ରତିଦିନ ୪ମିଲିୟନ ଡଲାର ହରାଉଛି । ଏଥିପାଇଁ ମୁଁ ଦୁଃଖିତ, ହେଲେ ଏହାବାଦ ଅନ୍ୟ କୌଣସି ବିକଳ୍ପ ନାହିଁ। ଏବେ ୫୦ ପ୍ରତିଶତ କର୍ମଚାରୀରେ ୩ ମାସ କାମ କରିବାକୁ ହେବ ବୋଲି ଟ୍ୱିଟ୍ କହିଛନ୍ତି ମସ୍କ ।
ଛଟେଇ ପ୍ରକ୍ରିୟା ପୂର୍ବରୁ ଟ୍ୱିଟର ପକ୍ଷରୁ କର୍ମଚାରୀଙ୍କୁ ଅଫିସକୁ ଆସିବାକୁ ବାରଣ କରାଯାଇଥିଲା। ସେମାନଙ୍କୁ ନିଆଯାଉଥିବା ନିଷ୍ପତ୍ତି ଆଧାରରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ସୋମବାର ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ଅଫିସକୁ ଯିବାକୁ ବାରଣ କରାଯାଇଥିବା ବେଳେ ତାହା ପୂର୍ବରୁ ଏହି ବଡ ନିଷ୍ପତ୍ତି ନିଆଯାଇଛି।
ବହିଷ୍କୃତ ହୋଇଥିବା ଜଣେ ପୂର୍ବତନ ଟ୍ୱିଟର କର୍ମଚାରୀ କହିଛନ୍ତି, କର୍ମଚାରୀଙ୍କ ପ୍ରତି ହେଉଥିବା ବ୍ୟବହାର ଅତ୍ୟନ୍ତ ଅମାନବୀୟ । ସେ କେବଳ ଖର୍ଚ୍ଚ କାଟକ ଗୁରୁତ୍ୱ ଦେଉଛନ୍ତି। ଏଲୋନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି ଏବଂ ସେ ଯେକୌଣସି ପ୍ରକାରେ ଏହି ଟଙ୍କା ଆଦାୟ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏଥିନିମନ୍ତେ କର୍ମଚାରୀଙ୍କ ଛଟେଇକୁ ସେ ଗୁରୁତ୍ୱ ଦେଉଛନ୍ତି।
ଏଥିସହ ଯେଉଁ କର୍ମଚାରୀ ଟ୍ୱିଟରରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଦିନକୁ ୧୨ ଘଣ୍ଟା ହିସାବରେ ସପ୍ତାହକ ୭ ଦିନ ଯାକ ଖଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛଟେଇ ଡରରେ କର୍ମଚାରୀମାନେ ଘରକୁ ନ ଯାଇ ଅଫିସରେ ହିଁ ଶୋଇ ପଡ଼ୁଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
......
Regarding Twitter’s reduction in force, unfortunately there is no choice when the company is losing over $4M/day.
Everyone exited was offered 3 months of severance, which is 50% more than legally required.
— Elon Musk (@elonmusk) November 4, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।