ଏଲନ୍ ମସ୍କ ଦେଲେ ଶାନ୍ତି ପ୍ରସ୍ତାବ, ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ ରାଷ୍ଟ୍ରପତି ଜେଲେନସ୍କି

କିବ୍: ରୁଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବାକୁ ଶାନ୍ତି ଯୋଜନାର ପ୍ରସ୍ତାବ ଦେଲେ ଆରବପତି ଏଲନ୍ ମସ୍କ। ଯାହାକୁ ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେନସ୍କି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଏଲନ୍‌ କରିଥିବା ଟ୍ୱିଟକୁ କାଉଣ୍ଟର କରି ସେ ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲୋକଙ୍କ ମତର ଏକ ସର୍ବେକ୍ଷଣକୁ ଉପସ୍ଥାପିତ କରିଛନ୍ତି। ଜେଲେନସ୍କି ଟ୍ୱିଟ କରିଛନ୍ତି ଯେ, ଆପଣଙ୍କୁ କିଏ ପସନ୍ଦ ? ଏଲନ୍ ମସ୍କ ? ଏଥିସହ ଦୁଇଟି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଗୋଟିଏ ପଟେ ଯେଉଁମାନେ ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି, ଅନ୍ୟପକ୍ଷରେ ଯେଉଁମାନେ ରୁଷକୁ ସମର୍ଥନ କରୁଛନ୍ତି। ଏହି ଦୁଇଟି ମଧ୍ୟରୁ ୟୁଜରମାନଙ୍କୁ ଗୋଟିଏ ବାଛିବାକୁ ସେ କହିଛନ୍ତି।

ତେବେ ସୂଚନା ମୁତାବକ, ଟେଲସାର ସିଇଓ ଏଲନ୍‌ ନିକଟରେ ଏକ ସର୍ଭେ କରିଥିଲେ। ଯେଉଁଥିରେ ସେ ଡୋନାବାସ, କ୍ରିମିୟାରେ ରହୁଥିବା ଲୋକଙ୍କୁ ରୁଷ କିମ୍ବା ୟୁକ୍ରେନ୍‌ର ମଧ୍ୟରୁ କାହାର ଅଂଶ ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଏହାକୁ ପରୀକ୍ଷା କରି ଦେଖିବାକୁ ଆହ୍ୱାନ ଦେଇଥିଲେ। ଟ୍ୱିଟ ଜରିଆରେ ହଁ କିମ୍ବା ନାହିଁ ଜରିଆରେ ଭୋଟ ଦେବାକୁ କହିଥିଲେ।

ସେହିପରି ଅନ୍ୟଏକ ଟ୍ୱିଟରେ ଏଲନ୍ ଲେଖିଥିଲେ ଯେ, ରୁଷର ଲୋକ ସଂଖ୍ୟା ୟୁକ୍ରେନ୍‌ ଠାରୁ ୩ ଗୁଣା। ତେଣୁ ଯୁଦ୍ଧରେ ୟୁକ୍ରେନ୍‌ର ବିଜୟ ସମ୍ଭାବନା ନାହିଁ। ଯଦି ଆପଣ ୟୁକ୍ରେନ୍ ଲୋକଙ୍କ ସୁରକ୍ଷା କଥା ଭାବୁଛନ୍ତି, ତେବେ ଶାନ୍ତିକୁ ଖୋଜନ୍ତୁ। ଏଥିସହ ଯୁଦ୍ଧ ଶେଷ କରିବାକୁ ଏକ ପ୍ଲାନ୍‌ ଥିବା ନେଇ ସେ ଏଠାରେ ସୂଚିତ କରିଥିଲେ।

ସୂଚନା ଥାଉକି, ୟୁକ୍ରେନ୍‌ର ୪ଟି କ୍ଷେତ୍ରକୁ ରୁଷରେ ବିଲୟ କରାଯାଇଥିବା ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଗତ ସପ୍ତାହରେ ଔପଚାରିକା ସହ ଘୋଷଣା କରିଥିଲେ। ସେ ଦାବି କରିଥିଲେ ଯେ, ଏଠାକାର ଲକ୍ଷାଧିକ ଲୋକ ରୁଷ ସହ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।