ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ କୋଲ୍ ସ୍କାମ୍‌ରେ ଦୋଷୀ

ନୂଆଦିଲ୍ଲୀ: କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଦିଲୀପ ରାୟଙ୍କୁ ଦିଲ୍ଲୀର ସ୍ପୋଶଲ୍ କୋର୍ଟ ଜଜ୍‌ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରଡିହରେ ଥିବା ବ୍ରହ୍ମାଡିହ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇର ଚାର୍ଜସିଟ୍ ଅନୁସାରେ, କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍-CTL ୧୯୯୮ରେ […]

dillip

Ranjit Kumar Jena
  • Published: Tuesday, 06 October 2020
  • , Updated: 06 October 2020, 03:19 PM IST

ନୂଆଦିଲ୍ଲୀ: କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଦିଲୀପ ରାୟଙ୍କୁ ଦିଲ୍ଲୀର ସ୍ପୋଶଲ୍ କୋର୍ଟ ଜଜ୍‌ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି।

୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରଡିହରେ ଥିବା ବ୍ରହ୍ମାଡିହ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇର ଚାର୍ଜସିଟ୍ ଅନୁସାରେ, କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡ୍-CTL ୧୯୯୮ରେ ବ୍ରହ୍ମାଡିହ ଖଣି, କାଷ୍ଟ୍ରନ୍ ଟେକ୍ନୋଲଜି ଏହି ଖଣିର ଖନନ ପାଇଁ ଆବେଦନ କରିଥିଲା। ଆବଣ୍ଟନ ପୂର୍ବରୁ ଖଣି ଅନୁଧ୍ୟାନ କରିବାକୁ କୋଲ୍ ଇଣ୍ଡିଆ ସେଣ୍ଟ୍ରାଲ ମାଇନ୍ ପ୍ଲାନିଂ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଟେଡ୍-CMPDILକୁ ଦାୟିତ୍ୱ ଦେଇଥିଲା।

ତେବେ CMPDIL ସେହି ବର୍ଷ ଅଗଷ୍ଟରେ ଏହି ଖଣିରେ ପ୍ରଚୁର ପାଣି ଜମି ରହିବା ସହ ଏହା ଖନନ ଉପଯୋଗୀ ନୁହେଁ ବୋଲି ଦର୍ଶାଇଥିଲା। ଖଣି ଖନନ ପାଇଁ ଅନୁମତି ଦେଲେ ଏହାର ପାଖରେ ଥିବା କୋଲ୍ ଇଣ୍ଡିଆର ଅନ୍ୟ ସଂପତ୍ତି ଉପରେ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି CMPDIL ରିପୋର୍ଟ ଦେଇଥିଲା। ତେଣୁ କୋଲ୍ ଇଣ୍ଡିଆ ଏହି ଖଣି ଆବଣ୍ଟନ ଲାଗି ଉପଯୁକ୍ତ ନୁହେଁ ବୋଲି ଉଲ୍ଲେଖ କରିଥିଲା।  ସେତେବେଳେ କୋଇଲା ମନ୍ତ୍ରଣାଳୟରେ ପରାମର୍ଶଦାତା ଥିବା ନିତ୍ୟାନନ୍ଦ ଗୌତମ ମଧ୍ୟ ସିଟିଏଲକୁ ଖଣି ଖନନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ରିପୋର୍ଟ ଦେଇଥିଲେ।

ତେବେ ୧୯୯୯ ମସିହା ଏପ୍ରିଲ ୨୩ ଏବଂ ମେ ୧୨ରେ ସେତେବେଳେ ଏନଡିଏ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲୀପ ରାୟଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା ବ୍ରହ୍ମଡିହ କୋଇଲା ଖଣିର ଫାଇଲ୍। ଏହି ସମୟରେ ଖଣି ଖନନ ଆବେଦନର ପୁର୍ନବିଚାର କରିବାକୁ CTL ଅନୁରୋଧ କରିଥିଲା। ଆଉ ଏହାକୁ ଆଧାର କରି ଆବଣ୍ଟନ ମାମଲାର ପୁନଃ ଅନୁଧ୍ୟାନ କରିବା ଲାଗି ୧୯୯୯ ମସିହା ମେ ୧୩ ତାରିଖରେ ଦିଲୀପ ରାୟଙ୍କ ଅଫିସରୁ ତତ୍କାଳୀନ କୋଇଲା ସଚିବଙ୍କ ଅଫିସକୁ  ପଠାଯାଇଥିଲା।

ଏହି ଫାଇଲ୍ ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମଙ୍କ ପାଖରେ ପହଞ୍ଚିବା ପରେ ସେ ୟୁଟର୍ଣ୍ଣ ମାରିଥିବା ସିବିଆଇ ଦର୍ଶାଇଛି। ଗୌତମଙ୍କ ନୂଆ ରିପୋର୍ଟ ଆଧାରରେ ସେତେବେଳେ ଅତିରିକ୍ତ କୋଇଲା ସଚିବ ଥିବା ପ୍ରଦୀପ କୁମାର ବାନାର୍ଜୀ ଫାଇଲକୁ ଅନୁମୋଦନ କରିଥିଲେ।  ଆଉ ଏହି ଆଧାରରେ ୧୯୯୯ ମସିହା ସେପ୍ଟେମ୍ବର ୧ ତାରିଖରେ CTLକୁ ବ୍ରହ୍ମଡିହ ଖଣି ଆବଣ୍ଟିତ ହୋଇଥିଲା।

କୋଲ୍ ଇଣ୍ଡିଆ ଏବଂ CMPDILର କଡ଼ା ଆପତ୍ତି ସତ୍ତ୍ୱେ CTLକୁ ଖଣି ଖନନ ପାଇଁ ଅନୁମତି ମିଳିଥିଲା। ଅନିୟମିତତା କରି CTLକୁ କୋଇଲା ଖଣି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ସିବିଇାଇ ଏହାର ତଦନ୍ତ କରି ଦିଲୀପଙ୍କ ସମେତ ୪ ଅଭିଯୁକ୍ତ ଏବଂ ଦୁଇ କମ୍ପାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ୨୦୧୭ ମସିହା, ୧୭ ଏପ୍ରିଲରେ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦିଲୀପଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଥିଲା।

Related story