ନିରୀହ ବୋଲି ଦାବି କରି ପୁଲିସ୍‌କୁ ଚିଠି ଲେଖିଲେ ହାଥରସ ଘଟଣାର ଅଭିଯୁକ୍ତ

ହାଥରସ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଗିରଫ ହୋଇ ଜେଲରେ ଥିବା ୪ ଅଭିଯୁକ୍ତ ଏବେ ନିଜକୁ ନିରୀହ ବୋଲି ଦାବି କରି ନ୍ୟାୟ ଭିକ୍ଷା କରିଛନ୍ତି। ଏଥିପାଇଁ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ଉତ୍ତର ପ୍ରଦେଶ ପୁଲିସ୍‌ ପାଖକୁ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ଆଉ ୩ ଅଭିଯୁକ୍ତଙ୍କ ଅଙ୍ଗୁଳି ଚିହ୍ନ ମଧ୍ୟ ରହିଛି। ଏହି ମାମଲାରେ ସେମାନଙ୍କୁ ଫସାଯାଉଛି ଓ ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଚିଠିରେ […]

ha

Hemant Lenka
  • Published: Thursday, 08 October 2020
  • , Updated: 08 October 2020, 07:37 PM IST

ହାଥରସ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଗିରଫ ହୋଇ ଜେଲରେ ଥିବା ୪ ଅଭିଯୁକ୍ତ ଏବେ ନିଜକୁ ନିରୀହ ବୋଲି ଦାବି କରି ନ୍ୟାୟ ଭିକ୍ଷା କରିଛନ୍ତି। ଏଥିପାଇଁ ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ଉତ୍ତର ପ୍ରଦେଶ ପୁଲିସ୍‌ ପାଖକୁ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ଆଉ ୩ ଅଭିଯୁକ୍ତଙ୍କ ଅଙ୍ଗୁଳି ଚିହ୍ନ ମଧ୍ୟ ରହିଛି। ଏହି ମାମଲାରେ ସେମାନଙ୍କୁ ଫସାଯାଉଛି ଓ ସେମାନଙ୍କୁ ନ୍ୟାୟ ମିଳୁ ବୋଲି ଚିଠିରେ କୁହାଯାଇଛି। ଏଥିସହ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ତାଙ୍କ ନିଜ ମା’ ଓ ଭାଇ ସର୍ବଦା ନିର୍ଯାତନ ଦେଉଥିଲେ ବୋଲି କହିଛନ୍ତି।

ଜେଲରେ ଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ଚିଠିରେ କହିଛନ୍ତି, ସେ ଓ ୨୦ ବର୍ଷୀୟ ପୀଡ଼ିତା ଜଣଙ୍କ ବନ୍ଧୁ ଭାବେ ଚଳୁଥିଲେ। ଉଭୟ ପରସ୍ପରକୁ ଦେଖା କରୁଥିବା ବେଳେ ବାରମ୍ବାର ଫୋନରେ କଥା ମଧ୍ୟ ହେଉଥିଲେ। ହିନ୍ଦୀରେ ଲେଖାଯାଇଥିବା ଚିଠିରେ ୪ ଅଭିଯୁକ୍ତଙ୍କ ଅଙ୍ଗୁଳି ଚିହ୍ନ ମଧ୍ୟ ରହିଛି।

ସନ୍ଦୀପ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ ପୀଡ଼ିତାଙ୍କ ପରିବାର ଆମ ବନ୍ଧୁତାକୁ ଗ୍ରହଣ କରୁ ନଥିଲେ। ଘଟଣା ଦିନ(ସେପ୍ଟେମ୍ବର ୧୪)ରେ ସନ୍ଦୀପ ପୀଡ଼ିତାଙ୍କୁ ନିକଟସ୍ଥ ପଡ଼ିଆରେ ଭେଟିବାକୁ ଯାଇଥିଲେ। ସେଠାରେ ପୀଡ଼ିତାଙ୍କ ଭାଇ ଓ ମା’ ମଧ୍ୟ ଉପସ୍ଥିତ ରହିଥିଲେ। ଏହି କାରଣରୁ ପୀଡ଼ିତା ସନ୍ଦୀପଙ୍କ ସହ କଥା ନ ହୋଇ ଘରକୁ ଚାଲି ଯିବାକୁ କହିଥିଲେ।

ସନ୍ଦୀପ ମଧ୍ୟ ସେଠାରୁ ଚାଲି ଆସିଥିଲେ। ଘରକୁ ଆସି ସେ ଗାଈମାନଙ୍କୁ ଖାଇବା ଦେବା କାର୍ଯ୍ୟରେ ଲାଗିଥିଲେ। କିଛି ସମୟରେ ପରେ ସେ ଗାଁ ଲୋକଙ୍କ ଠାରୁ ପୀଡ଼ିତାଙ୍କୁ ତାଙ୍କ ମା’ ଓ ଭାଇ ପ୍ରବଳ ମାଡ଼ ମାରି ଆହତ କରିଥିବା ଶୁଣିବାକୁ ପାଇଥିଲେ। ଏହି ଆକ୍ରମଣ ପଛରେ ଆମ ବନ୍ଧୁତା ରହିଥିଲା।

ମୁଁ କେବେ ହେଲେ ପୀଡ଼ିତାଙ୍କୁ ମାଡ଼ ମାରନାହିଁ କିମ୍ବା ତାଙ୍କ ସହ ଖରାପ ବ୍ୟବହାର କରିନାହିଁ। ପୀଡ଼ିତାଙ୍କ ମା’ ଓ ଭାଇ ମୋ ନାଁରେ ଅଭିଯୋଗ ଆଣି ଆମ ୪ ଜଣଙ୍କୁ ଫସାଇବାକୁ ଚେଷ୍ଟା କରିଛନ୍ତି। ଆମେ ସମସ୍ତେ ନିର୍ଦ୍ଦୋଷ। ତେଣୁ ପୁଲିସ୍‌ର ବରିଷ୍ଠ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଆମକୁ ନ୍ୟାୟ ଦିଅନ୍ତୁ ବୋଲି ସନ୍ଦୀୟ ଚିଠିରେ ଲେଖିଛନ୍ତି।

ସମସ୍ତ ୪ ଅଭିଯୁକ୍ତ ଏବେ ଆଲିଗଡ଼ ଜେଲରେ ରହିଛନ୍ତି। ସେଠାକାର ଜଣେ ଅଧିକାରୀ କହିଛନ୍ତି ଯେ ନ୍ୟାୟ ଦାବିରେ ୪ ଅଭିଯୁକ୍ତ ହାଥରସ ପୁଲିସ୍‌କୁ ଚିଠି ଲେଖିଛନ୍ତି। ଗତକାଲି ସନ୍ଧ୍ୟାରେ ଚିଠିଟି ହାଥରସ ଏସପିଙ୍କ ପାଖରେ ପହଞ୍ଚିଛି। ଏବେ ତଦନ୍ତକାରୀ ସଂସ୍ଥା ପୂରା ଘଟଣାକୁ ଯାଞ୍ଚ କରିବ। ଅନ୍ୟପକ୍ଷରେ ପୀଡ଼ିତାଙ୍କ ବାପା ଏହି ଅଭିଯୋଗରେ କୌଣସି ସତ୍ୟତା ନଥିବା କଥା କହିଛନ୍ତି।

Related story