ନୂଆଦିଲ୍ଲୀ: ଡିସେମ୍ୱର ୧ରୁ ସାରା ଦେଶରେ ଫାସଟାଗ୍ ଅନିବାର୍ଯ୍ୟ ହେବାକୁ ଯାଉଛି। ଏହି ସେବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଦ୍ୱାରା ଲାଗୁ ହୋଇଛି। ଦେଶରେ ୫୩୭ଟି ଟୋଲ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ତେବେ ଏହି ସେବା ଖାଲି ଟୋଲ ଗେଟରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ଉପଲବ୍ଧ ହେବ।
ଏ ନେଇ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ବିମାନ ବନ୍ଦରରେ ମଧ୍ୟ ଏହି ଫାସଟାଗ ସେବା ଆରମ୍ଭ ହୋଇଯାଇଥିବା ଗଡକରୀ କହିଛନ୍ତି। ଏହି ଫାସଟାଗ ଦ୍ୱାରା ବିମାନ ବନ୍ଦରର, ଶପିଂ ମଲ୍ ଆଦିରେ ତେଲ ଭରିବା ପରେ ଅଟୋମେଟିକ୍ ପଇସା କଟିଯିବ। ଏହାଦ୍ୱାରା ଗାଡ଼ି ଚାଳକଙ୍କୁ ଅଧିକ ସମୟ ପଇସା ଦେବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ବର୍ତ୍ତମାନ ସମୟରେ ଦେଶରେ ୧ ଲକ୍ଷ ୪୦ ହଜାର କିଲୋମିଟର ଜାତୀୟ ରାଜପଥ ରହିଛି। ୨୦୧୭ରେ ୭ ଲକ୍ଷ ଫାସଟାଗ ଜାରି କରାଯାଇଥିଲା। ଚଳିତ ବର୍ଷ ଏଯାବତ୍ ୬୬ ଲକ୍ଷ ୧୯ ହଜାର ଫାଷ୍ଟଟାଗ ପ୍ରଦାନ କରାଯାଇଥିବା ସୂଚନା ରହିଛି।
ସାରା ଦେଶରେ ଥିବା ମୋଟ ୫୩୭ ଟୋଲ ଗେଟ୍ ମଧ୍ୟରୁ ୪୧୨ଟି ଟୋଲ ଗେଟର ସମସ୍ତ ଲେନରେ ଏହି ଫାସଟାଗ ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ୬୪ଟି ଟୋଲ ଗେଟର ୨ଟି ଲେନରେ ଫାସଟାଗ ରହିଛି। ୩୦ ନଭେମ୍ୱର ସୁଦ୍ଧା ସମସ୍ତ ଟୋଲ ଗେଟରେ ଫାସଟାଗ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
ଫାସଟାଗ କଣ?
ଫାସଟାଗ ହେଉଛି ଏକ ରେଡିଓ ଫ୍ରିକୁଏନସି ଟାଗ। ଏହା ଗାଡ଼ିର ସାଇଡ୍ କାଚରେ ଲାଗିବ। ଏହି ଫାସଟାଗକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ ଗେଟରେ ପଇସା ଦେବା ପାଇଁ ଲାଇନ୍ ଧରି ଛିଡ଼ା ହେବା ଫଳରେ ଅନେକ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି ଫାସଟାଗ ଲାଗିଥିଲେ ଗାଡ଼ି ଚାଳକ ନିଜେ ଟୋଲ୍ ଫି ଦେଇ ଯାଇପାରିବେ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ।
ଫାସଟାଗକୁ ବାବଦରେ ଅଧିକ ସୂଚନା ପାଇଁ ଏନଏଚଆଇ ଦ୍ୱାରା ଜାରି ହୋଇଥିବା ୧୦୩୩ ଟୋଲ ଫ୍ରି ନମ୍ୱରକୁ କଲ୍ କରି ଜାଣିହେବ।
ଦେଶର ୨୮ ହଜାର ୩୭୬ଟି କେନ୍ଦ୍ରରେ ଫାସଟାଗ ବିକ୍ରି ବ୍ୟବସ୍ଥା ହୋଇଥିବା ବେଳେ ଏହି ସେବାକୁ ଦେଶର ୨୩ଟି ବ୍ୟାଙ୍କ ସହିତ ଯୋଡ଼ା ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।