ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମଧ୍ୟପ୍ରଦେଶ ଭୋପାଲ ଆସନରୁ ବିଜେପି ପ୍ରାର୍ଥୀ କରିଛି । ନିର୍ବାଚନରେ ସାଧ୍ୱୀଙ୍କୁ ବିରତ ରଖିବା ପାଇଁ ଏବେ ବିଭିନ୍ନ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଆଜି ମାଲେଗାଓଁ ବିସ୍ଫୋରଣରେ ପୀଡ଼ିତଙ୍କ ବାପା ମହାରାଷ୍ଟ୍ର ଏନଆଇଏ କୋର୍ଟରେ ହାଜର ହୋଇ ସାଧ୍ୱୀଙ୍କ ଜାମିନ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅଭିଯୋଗ ପତ୍ରରେ ପୀଡିତଙ୍କ ବାପା ଉଲ୍ଲେଖ କରିଛନ୍ତି ଯେ ସାଧ୍ୱୀ ସ୍ୱାସ୍ଥ୍ୟ ଆଧାରରେ ଜାମିନରେ ଆସିଛନ୍ତି। ବିଭିନ୍ନ ସମୟରେ ତାଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ରହିଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆସୁ ନାହାନ୍ତି। ହେଲେ ଏବେ ସେ କିଭଳି ସଭା ସମିତି କରୁଛନ୍ତି ଏବଂ ନିର୍ବାଚନରେ ଭାଗ ନେଉଛନ୍ତି ବୋଲି ପୀଡିତଙ୍କ ବାପା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତେଣୁ ଏହି ଅଭିଯୋଗ ଆଧାରରେ ସାଧ୍ୱୀଙ୍କୁ ଗିରଫ କରାଯାଉ ବୋଲି ଏନଆଇଏ କୋର୍ଟରେ ପୀଡ଼ିତଙ୍କ ବାପା ଦାବି କରିଛନ୍ତି। ଏଥିସହ ନିର୍ବାଚନ ପ୍ରକ୍ରିୟାରେ ସାଧ୍ୱୀଙ୍କୁ ବିରତ ରଖିବା ପାଇଁ ନିବେଦନ କରିଛନ୍ତି।
ଗତକାଲି ସାମାଜିକ କର୍ମୀ ତେହସିନ ପୁନାୱାଲା ନିର୍ବାଚନ କମିଶନ ନିକଟରେ ଦାଖଲ କରିଥିବା ପିଟିସିନ ଖାରଜ ହୋଇଥିଲା। ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରମାଣିତ ହୋଇନାହିଁ ତେଣୁ ସେ ନିର୍ବାଚନ ଲଢ଼ିପାରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଥିଲେ। ଏହା ବ୍ୟତୀତ ବିରୋଧୀ ଦଳ ଗୁଡ଼ିକ ବିଜେପି ଜଣେ ଆତଙ୍କବାଦୀଙ୍କୁ ପ୍ରାର୍ଥୀ କରିଥିବା ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।