ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି। ଫୋବର୍ସ ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ ସୀତାରମଣ ୩୪ ନମ୍ୱର ସ୍ଥାନରେ ରହିଛନ୍ତି। ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଥିବା ସୀତାରମଣ ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ପଛରେ ପକାଇଛନ୍ତି। ଏଲିଜାବେଥ ୪୦ ନମ୍ୱର ସ୍ଥାନରେ ରହିଛନ୍ତି। ତେବେ ନବମ ଥର ପାଇଁ ଶୀର୍ଷ ଶକ୍ତିଶାଳୀ ମହିଳା ତାଲିକାରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ରହିଛନ୍ତି।
ତେବେ ୨୩ ମହିଳା ପ୍ରଥମ ଥର ପାଇଁ ଫୋବର୍ସର ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି। ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏବା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପପ ସିଙ୍ଗର ଏବଂ ଗୀତିକାର ରିହାନ ଏହି ୨୩ ଜଣଙ୍କ ମଧ୍ୟରେ ରହିଛନ୍ତି।
ପ୍ରଥମ ୫ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ଶୀର୍ଷରେ ରହିଛନ୍ତି। ସେ ୨୦୦୫ରେ ପ୍ରଥମ ଥର ପାଇଁ ଜର୍ମାନୀର ଚାନସେଲର ହୋଇଥିଲେ। ଏବେ ସେ ତାଙ୍କର ଚତୁର୍ଥ ଥର କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି। ଜର୍ମାନୀର ସେ ହେଉଛନ୍ତି ପ୍ରଥମ ମହିଳା ଚାନସେଲର।
ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ତଥା ଫ୍ରାନ୍ସ କ୍ରିଷ୍ଟିନା ଲେଗାର୍ଡ ଦ୍ୱିତୀୟ ଶକ୍ତିଶାଳୀ ମହିଳା ତାଲିକାରେ ରହିଛନ୍ତି। ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ତଥା ଇସିବିର ସେ ହେଉଛନ୍ତି ପ୍ରଥମ ମହିଳା ପ୍ରମୁଖ ଅଧିକାରୀ।
ତୃତୀୟରେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନସି ପେଲୋସି, ଚତୁର୍ଥରେ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଓ୍ୱାନ ଡେର ଲେଏନ ଓ ପଞ୍ଚମରେ ଜେନେରାଲ ମୋଟର୍ସର ସିଇଓ ମେରି ବରୀ ରହିଛନ୍ତି।