ନୂଆଦିଲ୍ଲୀ: ମେ' ୩ରେ ଲକଡାଉନ୍ ଶେଷ ହେଉଛି। ଏହା ପୂର୍ବରୁ ଆଜି (ଏପ୍ରିଲ ୨୭)ରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ଜରିଆରେ ବୈଠକ କରିବାକୁ ଯାଉଛନ୍ତି। କରୋନା ମୁକାବିଲା କରିବାକୁ ଯାଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ବୈଠକ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କ'ଣ ଦାବି ରଖିବେ କିମ୍ୱା ପ୍ରସ୍ତାବ ଦେବେ ସେ ନେଇ କିଛି ସ୍ପଷ୍ଟ ହୋଇନି। ହେଲେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିପାରନ୍ତି ସରକାର।
ତେଲେଙ୍ଗାନା ନିଜ ରାଜ୍ୟରେ ମେ' ୭ ପରେ ପୁଣି ଥରେ ଲକଡାଉନ୍ ବଢ଼ାଇବା ନେଇ ପ୍ରସ୍ତାବ ଦେବ ବୋଲି କେସିଆର ରବିବାର ଇସାରା ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ରାଜ୍ୟ ଆର୍ଥିକ କ୍ଷତିର ସାମ୍ନା କରିବାକୁ ଯାଇ ପ୍ୟାକେଜ ଦାବି କରିପାରନ୍ତି। ମେ ୩ରେ ଲକଡାଉନ୍ ଶେଷ ହେଉଛି। ଏହାପରେ ୭ ତାରିଖ ଯାଏ ଲକଡାଉନ୍ ବଢ଼ାଇବ ବୋଲି କେସିଆର ନିକଟରେ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂତ୍ର ଅନୁଯାୟୀ, ଅଧିକାଂଶ ରାଜ୍ୟ ମେ ୩ ପରେ ମଧ୍ୟ ଏହି ପ୍ରତିବନ୍ଧକ ଜାରି ରଖିବାକୁ ଚାହାଁନ୍ତି, କିନ୍ତୁ ରାଜ୍ୟ ଗୁଡ଼ିକ ଆର୍ଥିକ ଦୃଷ୍ଟିକୋଣରୁ ଅନେକ ଦିଗରେ କେନ୍ଦ୍ର ସହ ଆଲୋଚନା ଜାରି ରଖିବାକୁ ଚାହୁଁଛନ୍ତି। ଏଥି ସହିତ କଂଗ୍ରେସ ଶାସିତ ରାଜ୍ୟ ଲକଡାଉନ୍ ବଢ଼ାଇବାକୁ ଚାହୁଁନଥିବା ଜଣାପଡ଼ିଛି। ତେଣୁ ସମସ୍ତ କଟକଣା ହଟାଇବାକୁ ଦାବି କରିପାରନ୍ତି। ଆବଶ୍ୟକ ଅନୁଯାୟୀ ସଂପୃକ୍ତ ରାଜ୍ୟ କରୋନା ମୁକାବିଲା କରିବେ। ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦାବି କରିଛନ୍ତି। ଶନିବାର ଏକ ପଞ୍ଜାବୀ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ ଏହି ସୂଚନା ଦେଇଥିଲେ। ଅବକାରୀ ବିକ୍ରି ବନ୍ଦ ରହିଥିବାରୁ ରାଜ୍ୟ ରାଜକୋଷ ଖାଲି ହେବାକୁ ବସିଲାଣି। ତେଣୁ ମଦକୁ ଜରୁରୀ ସାମଗ୍ରୀରେ ସାମିଲ୍ କରିବା ପାଇଁ ଅମରିନ୍ଦର ସିଂହ ଏହି ବୈଠକରେ ଦାବି କରିପାରନ୍ତି।
କେନ୍ଦ୍ର ସରକାର ମଧ୍ୟ ସମାନ ପରିସର ମଧ୍ୟରେ ଚିନ୍ତା କରୁଛନ୍ତି। ମେ ୩ ପରେ କେନ୍ଦ୍ର ଲକଡାଉନ୍ ନେଇ ରାଜ୍ୟ ମାନଙ୍କୁ ନିଷ୍ପତ୍ତି ନେବାକୁ ସ୍ୱତନ୍ତ୍ର କ୍ଷମତା ଦେଇପାରେ।
ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ମୁହାଁମୁହିଁ ହେବା ପରେ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଉଛନ୍ତି କି ନାହିଁ ବଡ଼ କଥା। କାରଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଠକରେ ମମତା ଯୋଗ ଦେଇନଥିଲେ। ଯଦି ଯୋଗ ଦେବେ ସେ କ’ଣ ଦାବି ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।