ଅବ୍ୟାହତି ନେଲେ ମୋଷ୍ଟ ୱାଣ୍ଟେଡ୍‌ ନକ୍ସଲ ମୁଖିଆ ଗଣପତି

ହାଇଦ୍ରାବାଦ: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ)ର ସାଧାରଣ ସମ୍ପାଦକ ତଥା ପ୍ରମୁଖ ନକ୍ସଲ ନେତା ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ସ୍ୱାସ୍ଥ୍ୟଗତ ଏବଂ ବୟସାଧିକ୍ୟ ଜନିତ ସମସ୍ୟା କାରଣରୁ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି। ବର୍ତ୍ତମାନ ସେଣ୍ଟ୍ରାଲ ମିଲିଟାରୀ କମିଶନ୍‌ ମୁଖ୍ୟ ଦାୟିତ୍ୱରେ ଥିବା ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍‌ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଓରଫ ଗଗନ ଏହି ଦାୟିତ୍ୱ ତୁଲାଇବେ। ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟଙ୍କ ସ୍ୱାକ୍ଷରିତ ୨ ପୃଷ୍ଠାର ଏକ […]

naxal

Subrat Kumar Nayak
  • Published: Wednesday, 28 November 2018
  • , Updated: 28 November 2018, 07:59 PM IST

ହାଇଦ୍ରାବାଦ: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାଓବାଦୀ)ର ସାଧାରଣ ସମ୍ପାଦକ ତଥା ପ୍ରମୁଖ ନକ୍ସଲ ନେତା ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ସ୍ୱାସ୍ଥ୍ୟଗତ ଏବଂ ବୟସାଧିକ୍ୟ ଜନିତ ସମସ୍ୟା କାରଣରୁ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି। ବର୍ତ୍ତମାନ ସେଣ୍ଟ୍ରାଲ ମିଲିଟାରୀ କମିଶନ୍‌ ମୁଖ୍ୟ ଦାୟିତ୍ୱରେ ଥିବା ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍‌ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ଓରଫ ଗଗନ ଏହି ଦାୟିତ୍ୱ ତୁଲାଇବେ।

ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟଙ୍କ ସ୍ୱାକ୍ଷରିତ ୨ ପୃଷ୍ଠାର ଏକ ବିବୃତିରେ କୁହାଯାଇଛି, “ସ୍ୱସ୍ଥ୍ୟଗତ ସମସ୍ୟା ଭୋଗୁଥିବାରୁ ସାଧାରଣ ସମ୍ପାଦକ ନିଜଆଡୁ ଅବ୍ୟାହତି ନେବାକୁ ଘୋଷଣା କରିଛନ୍ତି। କମିଟିର ପଞ୍ଚମ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଛି। ଏହି ପଦବୀ ପାଇଁ ବାସଭା ରାଜୁ ନିର୍ବାଚିତ ହୋଇଛନ୍ତି।”

ଗଣପତିଙ୍କୁ ବର୍ତ୍ତମାନ ୭୦ ବର୍ଷ ଏବଂ ବାସବରାଜୁ ବର୍ତ୍ତମାନ ୬୦ ବର୍ଷରେ ପହଞ୍ଚି ସାରିଲେଣି। ପୂର୍ବତନ ସ୍କୁଲ ଶିକ୍ଷକ ଗଣପତି ୧୯୭୦ ମସିହାରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ସେ ଆନ୍ଧ୍ରପ୍ରଦେଶ ଭିତ୍ତିକ ସପିଆଇ (ଏମ୍‌-ଏଲ)(ପିପୁଲ୍ସ ୱାର)ର ମୁଖ୍ୟ ଦାୟିତ୍ୱ ନେଇଥିଲେ। ୧୯୯୮ରେ ବିହାର ଭିତ୍ତିକ ସିପିଆଇ (ଏମ୍‌-ଏଲ୍‌) ସହିତ ଏବଂ ପରେ ୨୦୦୪ ମସିହାରେ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ (ଏମ୍‌ସିସିଆଇ) ସହିତ ଏହାର ମିଶ୍ରଣ ଘଟି ସିପିଆଇ (ମାଓବାଦୀ) ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

୨୦୧୭ ମସିହାରେ ସ୍ୱାସ୍ଥ୍ୟଗତ ଏବଂ ବୟସାଧିକ୍ୟ ଜନିତ ସମସ୍ୟା ଭୋଗ କରୁଥିବା କମ୍ରେଡ୍‌ ମାନଙ୍କୁ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଆହ୍ୱାନ କରାଯାଇଥିଲା। ସେମାନେ ନିଜ ଆଡ଼ୁ ଏଥିରୁ ଓହରି ନିଜ ସାଧ୍ୟମତେ ଦାୟିତ୍ୱ ନେବାକୁ ଏଥିରେ କୁହାଯାଇଥିଲା। ଏହାକୁ ପାଥେୟ କରି ଗଣପତିଙ୍କଠାରୁ ଏହି ପ୍ରଥା ଆରମ୍ଭ ହୋଇଛି।

ଦୁର୍ଦ୍ଦାନ୍ତ ମାଓବାଦୀ ବାସବରାଜୁ

ବାସବରାଜୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ। ବିସ୍ଫୋରକ ବିଶେଷଜ୍ଞ ଭାବେ ଜଣାଶୁଣା ବାସବରାଜୁ ଗରିଲା ରଣକୌଶଳରେ ବେଶ୍ ଧୁରନ୍ଧର। ତା’ସହିତ ବେଆଇନ ଅସ୍ତ୍ର ଚାଲାଣକାରୀଙ୍କ ବାସବରାଜୁ ସହ ମଧ୍ୟ ତା’ର ଲିଙ୍କ୍ ଥିବା ସୂଚନା ମିଳିଛି। ଏହାଛଡ଼ା ଛତିଶଗଡ଼, ମହାରାଷ୍ଟ୍ର ଓ ଓଡ଼ିଶାରେ ଘଟିଥିବା ଅଧିକାଂଶ ବଡ଼ ମାଓବାଦୀ ହାମ୍‌ଲା ପଛରେ ତାଙ୍କର ହାତ ଥିବା କୁହାଯାଉଛି। ତେଣୁ ତାଙ୍କଭଳି ଜଣେ ହାର୍ଡକୋର ମାଓବାଦୀ ସଂଗଠନ ନେତୃତ୍ୱ ନେବା ପରେ ମାଓ ଆକ୍ରମଣ ବଢିବା ଆଶଙ୍କା କରାଯାଉଛି।

ଜାତୀୟ ତଦନ୍ତ ଏଜେନ୍ସି (NIA)ର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି ବାସବରାଜୁର ନାଁ। ତାକୁ ଧରାଇ ଦେବା ଲାଗି ବିଭିନ୍ନ ରାଜ୍ୟ ପକ୍ଷରୁ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ମାଓବାଦୀଙ୍କୁ ସମୂଳେ ନିପାତ କରିବା ଲାଗି ଅଭିଯାନ ଜାରି ରହିଥିବା ବେଳେ ବାସବରାଜୁର ଆଭିମୁଖ୍ୟ କ’ଣ ହେଉଛି ତା ଉପରେ ନଜର ରହିବ।

ତେବେ ବସ୍ତରରେ ନିଯୁକ୍ତ ଜଣେ ଆଇପିଏସ୍‌ଙ୍କ କହିବା ଅନୁଯାୟୀ, ଏହା ଦ୍ୱାରା ପିପୁଲ୍ସ ଲିବରେସନ୍‌ ଗରିଲା ଆର୍ମିର କାର୍ଯ୍ୟକଳାପ ବୃଦ୍ଧି ପାଇବ। କାରଣ ବାସବରାଜୁ ନକ୍ସଲଙ୍କ ବୌଦ୍ଧିକ ଗୋଷ୍ଠୀରୁ ନୁହେଁ, ସେ ସିଧା ମିଲିଟାରୀ ୟୁନିଟ୍‌ରୁ ଆସିଛନ୍ତି। ତେଣୁ ସେ ଗଣପତିଙ୍କଠାରୁ ଅଧିକ ଉଗ୍ର ବୋଲି ଚର୍ଚ୍ଚା ହେଉଛି। ସେ ଗତ ୬ ମାସ ହେଲା ଏହି ଦାୟିତ୍ୱ ନେଇ ସାରିଲେଣି ଏବଂ ବର୍ତ୍ତମାନର ଘୋଷଣା କେବଳ ଔପଚାରିକ ବୋଲି ଜଣାଯାଇଛି।

Related story