ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ଭବନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମାରୋହକୁ କିନ୍ତୁ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧି ଆସିନଥିଲେ। ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଅନୁପସ୍ଥିତ ଥିଲେ। ସୂଚନା ମୁତାବକ ଗାନ୍ଧି ପରିବାର ଏବଂ ମନମୋହନ ସିଂହଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ହେଲେ କାହିଁକି ସେମାନେ ଆସିନାହାନ୍ତି, ସେ ନେଇ ସୂଚନା ମିଳିପାରି ନାହିଁ। ତେବେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ଆନନ୍ଦ ଶର୍ମା, ଶଶି ଥରୁର ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଣବଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେମାନେ ହେଲେ ଆସାମର ମୂଳ ନିବାସୀ ତଥା ସଂଗୀତ ନିର୍ଦ୍ଦେଶକ ଡକ୍ଟର ଭୁପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖ।