ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛତିଶଗଡ଼ ପୋଲିସକୁ ବଡ଼ ସଫଳତା। ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ମାଲକାନଗିରି ଜିଲ୍ଲାରୁ ଏହି ଗଞ୍ଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା। ବଡ଼ କଥା ହେଉଛି, ଅଭିନବ ଉପାୟରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ପଇଡ଼ ଭର୍ତ୍ତି ଟ୍ରକରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ବଡ଼ ବଡ଼ ୧୨ଟି ପ୍ୟାକେଟ୍ରେ ଗଞ୍ଜେଇକୁ ଭର୍ତ୍ତି କରାଯାଇ ଟ୍ରକ ଡାଲାର ମଝାମଝି ରଖାଯାଇଥିଲା। ତା’ପରେ ଟ୍ରକକୁ ପଇଡ଼ରେ ଭର୍ତ୍ତି କରି ଦିଆଯାଇଥିଲା।
ଚୋରାଚାଲାଣକାରୀ ଏବେ ସବୁ ଅଭିନବ ଉପାୟ ଆପଣାଉଛନ୍ତି। ସୁନା ଚୋରାକାର କରୁଥିବା ଲୋକଙ୍କ କଥାକୁ ଉଦାହରଣ ଭାବେ ନିଅନ୍ତୁ। ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ପ୍ରତି ସପ୍ତାହରେ ଜଣେ ସୁନା ଚୋରାଚାଲାଣକାରୀ ଧରାପଡ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ମଳଦ୍ୱାରରେ ସୁନା ଲୁଚାଇ ଆଣୁଥିବା ବେଳେ ଧରାପଡ଼ିଥିଲେ। ସେମିତି ସାଧାରଣତଃ କାର୍ରେ ଗଞ୍ଜେଇ ଚୋରା ଚାଲାଣ ହୁଏ। ତେବେ ବେଳେ ବେଳେ ଚୋରା ବ୍ୟବସାୟୀମାନେ ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାନ୍ତି। ଗତବର୍ଷ ମାଲକାନଗିରି ଜିଲ୍ଲାରୁ ଏମିତି ଏକ ଖବର ଆସିଥିଲା। ଭାର କରି ଗଞ୍ଜେଇ ଚାଲାଣ କରାଯାଉଥିଲା। ଭାବିଥିଲେ ଏମିତି ନେଇ କି ଗଲେ କେହି ଧରିବେନି। ତଥାପି ସେମାନେ ଧରାପଡ଼ିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।