ଫେସ୍‌ବୁକ୍‌ ଲାଇଭ୍‌ କରୁ କରୁ ଚାଲିଗଲା ଯୁବତୀଙ୍କ ଜୀବନ

କାନଡା: ଖୁସିମନରେ ସୁଇମିଂ ପୁଲ୍‌ ଭିତରେ ପଶିଲେ ଯୁବତୀ । ଏହା ଫେସ୍‌ବୁକ୍‌ ଲାଇଭ୍‌ ବି କଲେ। ହେଲେ କିଛି ସମୟ ପରେ ସବୁକିଛି ଓଲଟପାଲଟ ହୋଇଗଲା।  ପାଣିରେ ଉବୁଟୁବୁ ହୋଇ ଶେଷରେ ଆଖି ବୁଜିଲେ ଯୁବତୀ । ନିଜେ କରିଥିବା ଲାଇଭ୍‌ ରେକଡିଂରେ ହିଁ କଏଦ ହୋଇଗଲା ଯୁବତୀଙ୍କ ମୃତ୍ୟୁର ଦୃଶ୍ୟ। ଏପରି ଅଭାବନୀୟ କାଣ୍ଡ କାନଡାରେ ଘଟିଛି। ସୁଇମିଂ ପୁଲ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଯୁବତୀଙ୍କ ନାମ ହେଲେନ ନ୍ୟାବୁତୋ । ହେଲେନ କେନ୍ୟାର ମୂଳ ବାସିନ୍ଦା ହୋଇଥିବା ବେଳେ କାନାଡ଼ା ଚାଲିଆସି ଏଠାରେ ନର୍ସ ଭାବେ କାର୍ଯ୍ୟରତ ଥିଲେ।

କିଛି ଦିନ ପୂର୍ବେ ହେଲେନ ଏକ ହୋଟେଲକୁ ଯାଇଥିବା ବେଳେ ତାହାର ସୁଇମିଂ ପୁଲ୍‌କୁ ଗାଧୋଇବାକୁ ଯାଇଥିଲେ। ପୁଲ୍‌ରେ ଗାଧୋଇବା ବେଳେ ସେ ଫେସ୍‌ବୁକ୍‌ରେ ଲାଇଭ୍‌ ଥିଲେ। ଏହି ସମୟରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ଲାଇଭ୍‌ ହୋଇଥିଲା। ଏହି ଛାତିଥରା ଲାଇଭ୍‌ ଭିଡିଓକୁ ଫେସ୍‌ବୁକ ନିଜ ପେଜରୁ ଡିଲିଟ କରିଦେଇଛି।

ହେଲେନ ପ୍ରଥମେ ହସି ହସି ଖୁସି ମନରେ ପୁଲ୍‌ ଭିତରକୁ ପଶିଥିଲେ। କିନ୍ତୁ ୩ ମିନିଟ୍‌ ପରେ ସେ ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା। ଏପରିକି ସାହାଯ୍ୟ ପାଇଁ ମଦ୍ୟ ସେ ଚିତ୍କାର ଛାଡ଼ୁଥିବା ବେଳେ କାହାକୁ ତାଙ୍କ  ଚିତ୍କାର ଶୁଭି ନ ଥିଲା। ଏହାପରେ ସେ ପାଣିରେ ବୁଡ଼ିଗଲେ।

କିଛି ସମୟ ପରେ ହୋଟେଲ କର୍ମଚାରୀ ପୁଲ୍‌ରେ ଜଣେ କେହି ଭାସୁଥିବା ଦେଖିବାକୁ ପାଇଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।