ଆଦିଲ୍ଲୀ: ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧୀନରେ ଥିବା ୩ଟି ବିମାନ ବନ୍ଦରକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରଶିପ୍ (ପିପିପି) ମୋଡ୍ରେ ବିକଶିତ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅହମ୍ମଦାବାଦ, ମାଙ୍ଗାଲୁରୁ ଏବଂ ଲକ୍ଷ୍ନୌ ବିମାନବନ୍ଦରକୁ ଲିଜ୍ରେ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ନିଲାମରେ ସବୁଠାରୁ ଅଧିକ ବିଡିଂ ଥିବା ଅଦାନୀ ଏଣ୍ଟରପ୍ରାଇଜେସ୍କୁ ଏହାର ଲିଜ୍ ମିଳିଛି।
ମୁମ୍ବାଇ ଏବଂ ଦିଲ୍ଲୀ ପରି ଏହି ପିପିପି ପ୍ରକଳ୍ପକୁ ଆଗାମୀ ୫୦ ବର୍ଷ ପାଇଁ ଅଦାନୀକୁ ଲିଜ୍ ଦିଆଯାଇଛି। ଅଦାନୀ ଗ୍ରୁପ୍ ଏହାର ଅପରେସନ୍, ପରିଚାଳନା ଏବଂ ବିକାଶର ଦାୟିତ୍ୱ ନେବ। ପୂର୍ବରୁ ମୋଦିଙ୍କ ପ୍ରଥମ ସରକାରରେ ୬ଟି ବିମାନ ବନ୍ଦର ଯଥା ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୁରୁ, ତ୍ରିଭେନ୍ଦ୍ରମ୍, ଲକ୍ଷ୍ନୌ ଏବଂ ଗୁଆହାଟୀକୁ ୫୦ ବର୍ଷ ପାଇଁ ନିଲାମରେ ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଏଆଇର ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଏହି ତିନିଟି ବିମାନବନ୍ଦରର ପରିଚାଳନା ଦାୟିତ୍ୱ ଅଦାନୀ ଗ୍ରୁପ୍କୁ ହିଁ ମିଳିଛି।
ଅନ୍ୟ ୩ଟି ବିମାନବନ୍ଦରକୁ ଆଜି ଅନୁମୋଦନ ମିଳି ନ ଥିବା ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ପ୍ରକ୍ରିୟା ସରିଛି, ଆଉ କିଛି ଦିନ ପରେ ଘୋଷଣା ହେବ। ଏଥିରୁ ହେବାକୁ ଥିବା ଆୟରେ ଟିଏର ୨ ଏବଂ ଟିଏର ୩ ସହରରେ ନିବେଶ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।