ନୂଆଦିଲ୍ଲୀ: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB)ର ନିର୍ଦ୍ଦେଶକ ଇଶ କୁମାର ଆଧାର ଡାଟାବେସ୍ ଅଧିକାର ନେଇ ଏକ ଗୁରୁତ୍ୱପୁର୍ଣ୍ଣ ମତ ରଖିଛନ୍ତି। ଅପରାଧ ନିୟନ୍ତ୍ରଣ ଲାଗି ଆଧାର ଡାଟାବେସ୍ ବ୍ୟବହାର ଅଧିକାର ପୋଲିସକୁ ମିଳିବା ଦରକାର ବୋଲି କହିଛନ୍ତି ଇଶ। ୧୯ତମ ସର୍ବଭାରତୀୟ ଫିଙ୍ଗରପ୍ରିଣ୍ଟ ନିର୍ଦ୍ଦେଶକ ବ୍ୟୁରୋର ଏକ ସମ୍ମିଳନୀରେ ଯୋଗ ଦେଇ ସେ ଏଭଳି ମନ୍ତବ୍ୟ ରଖିଛନ୍ତି। ଏଣେ ତାଙ୍କ ବିବୃତ୍ତିକୁ ନେଇ ଆରମ୍ଭ ହୋଇଛି ତର୍ଜମା। ସୁପ୍ରିମ୍ କୋର୍ଟରେ ଆଧାର ବୈଧତାକୁ ନେଇ ମାମଲା ଚାଲୁଥିବା ବେଳେ ଏକ ଜାତୀୟସ୍ତରର କାର୍ଯ୍ୟକ୍ରମରେ ଇଶଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି।
ପୋଲିସ ଅନେକ ବେନାମୀ ଶବ ଜବତ କରୁଥିବା ବେଳେ ଏହା ଚିହ୍ନଟ ହେବା ସମ୍ଭବପର ହୋଇ ନ ଥାଏ। ଏଣୁ ଏଭଳି ଡାଟାବେସ୍ ଉପଯୋଗ ଅଧିକାର ପୋଲିସ ପାଖରେ ରହିଲେ ସହଜରେ ଶବ ଚିହ୍ନଟ ହେବା ସହ ଏହାକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ସୁବିଧା ହେବ ବୋଲି କହିଛନ୍ତି ଇଶ।
ତାଙ୍କ ତଥ୍ୟ ମୁତାବକ ବାର୍ଷିକ ୪୦,୦୦୦ ବେନାମୀ ଶବ ଜବତ ହେଉଥିବା ବେଳେ ଏଭଳି ୫୦ ଲକ୍ଷ ମାମଲା ବିଭିନ୍ନ ଥାନାରେ ପଡ଼ି ରହିଛି। ଏଣୁ ଆଧାର ଡାଟାବେସ୍ର ବ୍ୟବହାର ଅଧିକାର ପୋଲିସକୁ ସହାୟତା କରିବ ବୋଲି ସେ କହିଛନ୍ତି।
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଛନ୍ତି, NCRB ଡାଇରେକ୍ଟରଙ୍କ ପ୍ରସ୍ତାବ ଉପରେ ଗୁରୁତର ସହ ବିଚାର କରାଯିବ। ଏହି ପଦକ୍ଷେପ ଦେଶରେ ଅପରାଧ ନିୟନ୍ତ୍ରଣ ଦିଗରେ ନୂଆ ଆଶା ସଞ୍ଚାର କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।