ଅହମ୍ମଦାବାଦ: ଦୁଇ ଦଶନ୍ଧି ହୋଇଗଲା ଗୁଜରାଟରେ ବିଜେପି ଶାସନ କରୁଛି। ଏହା ମଧ୍ୟରେ ହୋଇଥିବା ପ୍ରତିଟି ନିର୍ବାଚନକୁ ସହଜରେ ଜିତିଥିଲା ଏହି ଦଳ। ହେଲେ ଏଥର ନିର୍ବାଚନରେ ବିଜେପିକୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡୁଛି। ପଟିଦାର ଆନ୍ଦୋଳନ, ଜିଏସ୍ଟି, ନୋଟବନ୍ଦୀ ପରି କିଛି ଇସ୍ୟୁକୁ ନେଇ ବିଜେପି ବ୍ୟାକ୍ଫୁଟ୍ରେ ଥିବା ପରି ମନେ ହେଉଛି। ମୋଦିଙ୍କ କ୍ରେଜ୍କୁ ଆଧାର କରି ବିଜେପି ଗୁଜରାଟ ନିର୍ବାଚନୀ ବୈତରଣୀ ପାର କରିବା ଯୋଜନାରେ ରହିଛି। ହେଲେ ରାଜନୈତିକ ବିଶେଷଜ୍ଞଙ୍କ ମତ, କେବଳ ମୋଦି କ୍ରେଜ୍ ଏଥିପାଇଁ ଯଥେଷ୍ଟ ହେବ ନାହିଁ। ଗୁଜରାଟବାସୀଙ୍କ ମନ ଜିଣି ବିଜୟ ରଥକୁ ଆଗକୁ ବଢାଇବାକୁ ହେଲେ ବିଜେପିକୁ ଆହୁରି କିଛି ଅଧିକ ଆଗ୍ରେସିଭ ହେବାକୁ ପଡିବ। ରାଜ୍ୟରେ ଏବେ ସରକାରୀ ବିରୋଧୀ ହାୱା ଚାଲିଛି। ଏପରି ସ୍ଥିତିରେ ଯଦି ଏହି ୫ଟି ଫ୍ୟାକ୍ଟ କାମ କରେ ତେବେ ବିଜେପି ବିଜୟକୁ କେହି ଅଟକାଇ ପାରିବେ ନାହିଁ। ଗୁଜରାଟ ନିର୍ବାଚନ ହାଲଚାଲକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା।
ପଟିଦାରରେ ଫାଟ: ଆରମ୍ଭରୁ ପଟିଦାର ସମୁଦାୟକୁ ବିଜେପିର ପାରମ୍ପରିକ ଭୋଟ ବୋଲି କୁହାଯାଉଛି। ୧୬ ପ୍ରତିଶତ ଭୋଟରର୍ ପଟିଦାର ସମୁଦାୟର। ୨୦୧୫ରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ସଂରକ୍ଷଣ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ଏହି ସମୁଦାୟ ବିଜେପି ଉପରେ ଅସନ୍ତୁଷ୍ଠ ଥିବା କୁହାଯାଉଛି। ଯଦି ଖବର ସତ ହୋଇଥାଏ, ତେବେ ବିଜେପିକୁ ସମର୍ଥନ ନେଇ ପଟିଦାର ସମୁଦାୟ ଏବେ ଦୁଇ ଫାଳ। ହାର୍ଦ୍ଦିକ କଂଗ୍ରେସ ସହ ସଲାସୁତରା କରୁଥିବା ବେଳେ ପଟିଦାର ସଂରକ୍ଷଣ ସଂଘର୍ଷ ସମିତି (ପିଏଏସ୍ଏସ୍) ବିଜେପି ସହ ରହିଛି। ଆଉ ଏକ କଥା ହେଲା ହାର୍ଦ୍ଦିକ କଡୱା ପଟେଲ ହୋଇଥିବା ବେଳେ ଗୁଜରାଟରେ ଲେଉୱା ପଟେଲ ଭୋଟର ଅଧିକ। ଯିଏ ଏବେ ବିଜେପି ସହିତ ରହିଛନ୍ତି। ରାଜ୍ୟ ବିଜେପି ଅଧ୍ୟକ୍ଷ ଜିତୁ ବଗାନୀ ଲେଉୱା ପଟେଲ। ପଟେଲ ସମୁଦାୟର ଅସନ୍ତୋଷ ଦୂର କରିବାକୁ ବିଜେପି ସବୁ ପ୍ରକାର ପ୍ରୟାସ ଚଲାଇଛି। ଯଦି ଦଳ ଏଥିରେ ସଫଳ ହୋଇଯାଏ ତେବେ ବିଜୟ ସହଜ ହୋଇଯିବ।
ଓବିସି କାର୍ଡ: ପଟେଲ ସମୁଦାୟଙ୍କୁ ସଂରକ୍ଷଣ ନଦେଇ ବିଜେପି ଗୁଜରାଟରେ ଓବିସି ସମୁଦାୟଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛି। ପଟିଦାରଙ୍କ ଦାବି ବିଜେପି ମାନିଥିଲେ, ଓବିସିଙ୍କ ସହ ତାଙ୍କୁ ସାମିଲ କରିବାକୁ ପଡିଥାନ୍ତି। ଫଳରେ ଓବିସି ସମୁଦାୟ ଅସନ୍ତୁଷ୍ଟ ହୋଇଥାନ୍ତେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ପଛୁଆ ବର୍ଗର ବୋଲି କହିଥାନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଜାତିର। ବିଜେପି ଗୁଜରାଟ ଓବିସି ସମୁଦାୟ ଭୋଟରଙ୍କ ମଧ୍ୟରେ ଏହାକୁ ଉପସ୍ଥାପନ କରି ସେମାନଙ୍କୁ ନିଜ ଆଡକୁ ନେବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ।
ଜିଏସ୍ଟି ହ୍ରାସ: ଗୁଜରାଟର ମୂଳଦୁଆ ହେଉଛି ବେପାର। ଜିଏସ୍ଟି ଲାଗୁ ହେବା ପରେ ଗୁଜରାଟର ବ୍ୟବସାୟୀମାନେ ଅଧିକ ଏହାକୁ ସମାଲୋଚନା କରିଥିଲେ। ଏପରିକି ସୁରତର କିଛି ବ୍ୟବସାୟୀ ରସିଦ ଦେବା ବେଳେ ଏଥିରେ ଲେଖୁଥିଲେ ‘ଅମଲକା ଫୁଲ, ହାମାରୀ ଭୁଲ’। ବ୍ୟବସାୟୀଙ୍କ ଏପରି ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପି ଜିଏସ୍ଟରେ ଏକାଧିକ ସୁଧାର କରିଛି। ଏଥିରୁ ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ଆଶା କରାଯାଉଛି। ଯଦି ଏହାକୁ ନେଇ ବିଜେପି ଗୁଜରାଟ ବ୍ୟବସାୟୀଙ୍କ ମନ ପୁଣି ଥରେ ଜିତିଯିବ, ତେବେ ମୁଖ୍ୟମନ୍ତ୍ରୀ ଚୌକିରେ ଆଉଥରେ ବସିବାରୁ କେହି ଅଟକାଇ ପାରିବେ ନାହିଁ।
ମୁଖ୍ୟମନ୍ତ୍ରୀ କାର୍ଡ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନକୁ ଓହ୍ଲାଇଛି। ବିଜୟ ହେଉଛନ୍ତି ଜୈନ୍ ସମୁଦାୟର। ସାଧାରଣତ ଜୈନ୍ ସମୁଦାୟର ଲୋକେ ବ୍ୟବସାୟୀ। ତେଣୁ ଏହି ଗୋଷ୍ଠୀଙ୍କୁ ବିଜେପି ନିଜ ସପକ୍ଷରେ ରଖିବାକୁ ଚେଷ୍ଟା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ପଟିଦାର ସମୁଦାୟର ଥିଲେ। ତାଙ୍କ ସମୟରେ ହିଁ ପଟିଦାର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେତେବେଳେ ଆନନ୍ଦିବେନଙ୍କୁ ବିଜେପି ହଟାଇ ନେଇଥିଲା। ଯଦି ମୁଖ୍ୟମନ୍ତ୍ରୀ କାର୍ଡ ଠିକ୍ରେ ଚାଲିଲା ତେବେ ବିଜେପି ବିଜୟ ସୁନିଶ୍ଚିତ ବୋଲି ରାଜନୈକ ବିଶେଷଜ୍ଞ ମତ ଦେଉଛନ୍ତି।
ବୁଲେଟ୍ ଟ୍ରେନ: ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍କୁ ଗୁଜରାଟବାସୀଙ୍କୁ କେନ୍ଦ୍ର ସରକାର ଉପହାର ଭାବେ ଦେଇଛନ୍ତି। କାରଣ ଏହି ଟ୍ରେନ୍ ଗୁଜରାଟର ଅହମ୍ମଦାବାଦରୁ ମୁମ୍ବାଇକୁ ଚାଲିବ। ୧.୦୮ ଲକ୍ଷ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ୨୦୨୨ ଅଗଷ୍ଟ ୧୫ରେ ଶେଷ ହେବ। ବିଜେପି ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟକୁ ରାଜ୍ୟବାସୀଙ୍କ ଆଗରେ ଗୁରୁତ୍ୱର ସହ ଉପସ୍ଥାପନ କରୁଛି। ଏହାର କାରଣ ହେଲା ବୁଲେଟ୍ ଟ୍ରେନ୍କୁ ଶିବସେନା ବିରୋଧ କରୁଛି। ଆଉ ଏକଥା ସମସ୍ତେ ଜାଣିଛନ୍ତି, ଶିବସେନା ଓ ଗୁଜରାଟବାସୀଙ୍କ ‘ନାଗ ନାଡିର ଭେଦ’। ବୁଲେଟ୍ ଟ୍ରେନ୍କୁ ଶିବସେନା ଯେତେ ବିରୋଧ କରିବ ଗୁଜରାଟବାସୀ ବିଜେପି ସପକ୍ଷରେ ସେତେ ଅଧିକ ଏକଜୁଟ ହେବେ। ଏହା ବିଜେପିକୁ ଭଲ ଭାବେ ଜଣା। ତେଣୁ ରାଜ୍ୟ ଓ କେନ୍ଦ୍ରୀୟ ନେତା ସଭାସମିତ ହେଉକି ନିର୍ବାଚନୀ ପ୍ରଚାର ବୁଲେଟ୍ ଟ୍ରେନ୍ ପ୍ରସଙ୍ଗ ଉଠାଇବାକୁ କେବେ ଭୁଲୁ ନାହାଁନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।