ଅହମ୍ମଦାବାଦ: ଫୁଲରେ ସଜେଇ ହେବ ମଣ୍ଡପ। ଆଲୋକମାଳାରେ ଝଲସିବ ଘର ଦୁଆର । ପରିବାର, ବନ୍ଧୁବାନ୍ଧବ ବି ଗ୍ରାଣ୍ଡ ପାର୍ଟି ପାଇଁ ରେଡ୍ଡି । ବିବାହ ପାଇଁ ସଜ ହେଲାଣି କନିଆ। ଆଖିରେ ଆଖିଏ ସପନ । ପଡ଼ିବ ହାତଗଣ୍ଠି। ମଥାରେ ଭରିବ ସିନ୍ଦୂର । କିନ୍ତୁ ଏହା ସାଧାରଣ ବିବାହ ନୁହେଁ। ଏଠାରେ କନିଆ ତ ରେଡି । ହେଲେ ନାହିଁ ବର । ତେବେ ବିବାହ ହେବ କେମିତି ?
ବିବାହ ତ ହେବ , ହେଲେ ଏହା ପାଲଟିବ ଦେଶର ଏମିତି ଏକ ବିବାହ ଯେଉଁଥିରେ କନିଆ ଥିବ, ନ ଥିବ ବର । ନିଜକୁ ନିଜେ ବିବାହ କରିବ କନିଆ। ନିଜ ସହ ପଡ଼ିବ ହାତଗଣ୍ଠି। ହସି ହସି ଏପରି ଏକ ବିବାହର କନିଆ ସାଜିବାକୁ ଗୋଡ଼ ଟେକିଲେଣି ଗୁଜରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ । ଆସନ୍ତା ୧୧ ତାରିଖରେ ପଡ଼ିବ ହେବ କ୍ଷମାଙ୍କ ଏହି ବହୁ ପ୍ରତୀକ୍ଷିତ ବିବାହ ।
ନିଜ ବିବାହ ପାଇଁ କ୍ଷମା ଲେହେଙ୍ଗା ଫାଇନାଲ କରି ସାରିଛନ୍ତି। କିପରି ହେୟାର ଡିଜାଇନ କରିବେ, କିପରି ମେକଅପ ନେଲେ କନିଆ ବେଶରେ ଝଲସିବେ ସେଥି ନିମନ୍ତେ ସରିଛି କ୍ଷମାଙ୍କ ପ୍ରସ୍ତୁତି। ହେଲେ ସାମନାରେ ନ ଥିବ ବର, ଯାହାକୁ ଦେଖି ସେ ଲାଜେଇ ଯିବେ। କାରଣ ସିଏ କରୁଛନ୍ତି ସୋଲୋ ବିବାହ । ଅର୍ଥାତ ନିଜକୁ ନିଜେ ବିବାହ କରିବେ ଏହି ଯୁବତୀଜଣକ । ବିବାହର ସବୁ ରୀତିନୀତିକୁ ପାଳନ କରିବେ କ୍ଷମା ।
[caption id="attachment_738468" align="aligncenter" width="650"] ଗୁଜରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ।[/caption]
ଏନେଇ କ୍ଷମା କହିଛନ୍ତି, ମୁଁ କେବେ ବିବାହ କରିବାକୁ ଚାହୁଁ ନ ଥିଲି। କିନ୍ତୁ ନିଜକୁ କନିଆ ବେଶରେ ସଜାଇବାକୁ ସ୍ୱପ୍ନ ଥିଲା। ତେଣୁ ନିଜ ସହ ନିଜର ବିବାହ କରିବାକୁ ସ୍ଥିର କଲି। ଏପରିକି ଦେଶରେ କିମ୍ବା ଦେଶ ବାହାରେ ଏପରି ବିବାହ ହୋଇଛି କି ବୋଲି ନେଟ୍ରେ ସର୍ଚ୍ଚ କରିଥିବା କ୍ଷମା ସେପରି ଉଦାହରଣ ଦେଖିବାକୁ ପାଇ ନ ଥିଲେ। ତେଣୁ ନିଜକୁ ନିଜେ ବିବାହ କରିବାରେ ସେ ଦେଶର ପ୍ରଥମ ମହିଳା ହେବାକୁ ଯାଉଛନ୍ତି ବୋଲି କହିଛନ୍ତି।
ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା କ୍ଷମା କହିଛନ୍ତି, ନିଜେ ନିଜକୁ ବିବାହ କରିବା ଅର୍ଥ ବିନା ସର୍ତ୍ତରେ ପ୍ରେମ କରିବା । ଏହା ଏକ ପ୍ରକାର ଆତ୍ମ ସ୍ୱୀକୃତି ଅଟେ। ଲୋକେ ଏମିତି ଜଣକୁ ବିବାହ କରନ୍ତି, ଯାହାଙ୍କୁ ସେମାନେ ଭଲ ପାଆନ୍ତି। ମୁଁ ନିଜକୁ ନିଜେ ଭଲ ପାଉଛି, ତେଣୁ ନିଜକୁ ବିବାହ କରିବାକୁ ସ୍ଥିର କଲି।
ଏହାକୁ କିଛି ଲୋକ ଅପ୍ରାସଙ୍ଗିକ ବୋଲି କହୁଥିବା ମିଡିଅ ସାମନାରେ କହିଛନ୍ତି କ୍ଷମା। କିନ୍ତୁ ମୁଁ ପ୍ରମାଣିତ କରିବାକୁ ଚାହେଁ ଯେ, ମହିଳାମାନଙ୍କର ସ୍ୱତନ୍ତ୍ର ବିଚାରଶୈଳୀ ଅଛି। ଏଥିସହ ମୋ ମାତାପିତା ବହୁତ ଖୋଲା ବିଚାରଧାରାର ଲୋକ ହୋଇଥିବାରୁ ସେମାନେ ଏଥିନିମନ୍ତେ ଆର୍ଶୀବାଦ ଦେଇଥିବା କହିଛନ୍ତି କ୍ଷମା।
କ୍ଷମାଙ୍କ ବିବାହ ନିକଟସ୍ଥ ଏକ ମନ୍ଦିରରେ ହେବ । ଏହି ବିବାହ ସମୟରେ ସେ ନିଜ ସହ ୫ଟି ପ୍ରତିଶ୍ରୁତି ନେବେ। ଏହାପରେ ସାଧାରଣ ବିବାହ ପରି ସେ ହନିମୁନରେ ମଧ୍ୟ ଯିବେ। ତାଙ୍କ ହନିମୁନ ଡେଷ୍ଟିନେସନ ଗୋଆ ବୋଲି କହିଛନ୍ତି କ୍ଷମା । ଏକାଏକା ହନିମୁନରେ ଗୋଆ ଯିବାକୁ କ୍ଷମା ସମସ୍ତ ପ୍ରସ୍ତୁତି କରି ସାରିଥିବା ବେଳେ ସେଠାରେ ସେ ୨ ସପ୍ତାହ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।