ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ବିଜେପି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ୭୦ ଜଣଙ୍କ ନାମ ଘୋଷଣା କରାଯାଇଛି। ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ଅସନ୍ତୋଷ ଦେଖାଯାଇଛି। ପ୍ରାର୍ଥୀ ତାଲିକାରେ ନାଁ ନଥିବା ଅନେକ ଆଶାୟୀ ଦଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବା ସହିତ ଇସ୍ତଫା ଦେଇଛନ୍ତି। ଟିକେଟ୍ରୁ ବଞ୍ଚିତ କ୍ଷୁବ୍ଧ ଆଶାୟୀମାନଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅମିତ ଶାହା ଗୁଜରାଟ ବିଜେପିର ଅଫିସ୍ରେ ଉପସ୍ଥିତ ଥିଲେ। ସେ ଡ୍ୟାମେଜ୍ କଣ୍ଟ୍ରୋଲ୍ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ଉଦ୍ୟମ ସଫଳ ହେଉଛି ନା ନାହିଁ ଆଗକୁ ଜଣାପଡ଼ିବ।
ଭାଇକୁ ଭାଇର ବିରୋଧ
ଗତକାଲି ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯିବା ପରେ ଭରୁଚ ଜିଲ୍ଲା ପଞ୍ଚାୟତର ସଦସ୍ୟ ବଲ୍ଲଭ ପଟେଲ ଦଳରୁ ଇସ୍ତଫା ଦେଇଥିଲେ। ବଲ୍ଲଭ ହେଉଛନ୍ତି ଇଶ୍ୱର ପଟେଲଙ୍କ ଭାଇ। ଇଶ୍ୱରଙ୍କୁ ଅଙ୍କଲେଶ୍ୱର ଆସନରୁ ପ୍ରାର୍ଥୀ କରାଯାଇଛି। ବଲ୍ଲଭ ମଧ୍ୟ ଏହି ଆସନରୁ ଟିକେଟ୍ ମାଗି ଥିଲେ।
ସେହିପରି ଦଶରଥ ପୁୱାର ଜିଲ୍ଲା ବିଜେପି ମହାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବଡ଼ୋଦରାରେ ଦୀନେଶ ପଟେଲଙ୍କୁ ଟିକେଟ୍ ଦିଆଯିବା ପରେ ସେଠାରେ କିଛି ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ବିଦ୍ରୋହ ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। ପାଦରୀ ଜିଲ୍ଲା ପଞ୍ଚାୟତ ଓ ତହସିଲ ପଞ୍ଚାୟତ ନେତା କମଲେଶ ପଟେଲ ଇସ୍ତଫା ଦେଇଛନ୍ତି। ବଡ଼ୋଦରା ଜିଲ୍ଲାର ବିଜେପି ମହାମନ୍ତ୍ରୀ ଚୈତନ୍ୟ ସିଂହ ଝାଲା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।