ଇସଲାମବାଦ: ରୁଷରୁ ଫେରିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ପାକିସ୍ତାନ ଯାତ୍ରାକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରଶଂସା କରିଥିବା ବେଳେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସଇଦ ବିଚଳିତ ହୋଇଯାଇଛି। ମୋଦିଙ୍କୁ ପାକିସ୍ତାନରେ ଭବ୍ୟସ୍ୱାଗତ କରାଯିବା କଥାକୁ ସେ ସହଜରେ ଗ୍ରହଣ କରିପାରି ନାହିଁ। ତେଣୁ ସେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କୁ ତୀବ୍ର ସମାଲୋଚନା କରିଛି। ସେ ପ୍ରଶ୍ନ କରିଛି ଯେ ପାକିସ୍ତାନର ଶତ୍ରୁକୁ ଏଭଳି ସ୍ୱାଗତ କାହିଁକି ଦିଆଗଲା। ଏନେଇ ସରିଫ୍ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ। ମୋଦିଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ଥାଇପାରେ। କିନ୍ତୁ ପାକିସ୍ତାନର ଶତ୍ରୁଙ୍କୁ ପାକିସ୍ତାନରେ ସ୍ୱାଗତ କରାଯାଇ ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛି ଯେ ମୋଦିଙ୍କର ଏଭଳି ଅଚାନକ ଗସ୍ତ ପାକିସ୍ତାନବାସୀଙ୍କୁ ଦୁଃଖିତ କରିଛି।
ସଇଦ କହିଛି, ସକାଳେ ମୋଦି ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ କହିଥିଲେ। କିନ୍ତୁ ଅପରାହ୍ନରେ ଭାରତ ଫେରିବା ବେଳେ ପାକିସ୍ତାନରେ ଓହ୍ଲାଇ ପଡ଼ିଲେ। ସେହିପରି ବାଂଲାଦେଶ ଗସ୍ତ ବେଳେ ମୋଦି ପାକିସ୍ତାନକୁ ଭାଗ ଭାଗ କରିବା କଥା କହିଥିଲେ। ପାକିସ୍ତାନରେ ଆତଙ୍କ ଖେଳାଇବା ଓ ବିଷର ମଂଜି ବୁଣିବାକୁ କୌଣସି ମୌକା ଛାଡୁ ନାହାନ୍ତି। କେବଳ ଏତିକି ନୁହେଁ, ପେଶାୱାରରେ ଏକ ସୈନିକ ସ୍କୁଲ ଉପରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ସଇଦ ଭାରତକୁ ଦାୟୀ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।