ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଆଗାମୀ ବଜେଟ ପାଇଁ ଆରମ୍ଭ ହୋଇଛି ଆନୁଷ୍ଠାନିକ ପ୍ରକ୍ରିୟା । ଏହି ଅବସରରେ ଆଜି ନର୍ଥ ବ୍ଲକରେ ପାରମ୍ପରିକ ଭାବେ ହାଲଆ ଉତ୍ସବର ଆୟୋଜନ ହୋଇଥିଲା । ଅର୍ଥମନ୍ତ୍ରୀ ଜେଟଲି ପ୍ରତୀକାତ୍ମକ ଭାବେ ଏହି ଉତ୍ସବର ଉଦ୍ଘାଟନ କରିଥିଲେ । ଏକ ବଡ କଡେଇରେ ହାଲଓ୍ବା ପ୍ରସ୍ତୁତ କରି ଅର୍ଥମନ୍ତ୍ରାଳୟର ସବୁ କର୍ମଚାରୀଙ୍କୁ ଦିଆଯାଇଥିଲା । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ, ଅର୍ଥନୈତିକ ବ୍ୟାପାର ସଚିବ ସୁବାସ ଚନ୍ଦ୍ର ଗର୍ଗ ଓ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ଏହି ଉତ୍ସବରେ ଉପସ୍ଥିତ ଥିଲେ
ଏଥିସହ ଆଗାମୀ ବଜେଟର ବିଭିନ୍ନ ତଥ୍ୟର ମୁଦ୍ରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆଜିଠାରୁ ଅର୍ଥମନ୍ତ୍ରାଳୟର ୧୦୦ରୁ ଅଧିକ ଅଧିକାରୀ ନର୍ଥ ବ୍ଲକରେ ରହି ବଜେଟ ପ୍ରସ୍ତୁତିରେ ସାହାଯ୍ୟ କରିବେ। ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀମାନେ ନର୍ଥବ୍ଲକ ପରିସରରୁ ବାହାରକୁ ଯିବା ଉପରେ କଟକଣା ରହିବ । ଏପରିକି ସେମାନଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ଅନୁମତି ମିଳିବ ନାହିଁ । ଏଭଳି ପ୍ରକ୍ରିୟା ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ। ଜାନୁୟାରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଫେବୃୟାରୀ ପହିଲାରେ ବଜେଟ ଆଗତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।