ପିଲାର ନାଁ ଦେବାକୁ ବାପା, ମାଆ ଝଗଡ଼ା: ଶେଷରେ ହାଇକୋର୍ଟ ଦେଲେ ନାଁ

କୋଚି: ପିଲାଟିଏ ଜନ୍ମ ହେଲେ ଘରଲୋକେ ପ୍ରଥମେ ତାର ନାଁ ବାଛନ୍ତି। ପରିବାର ଲୋକଠୁ ଆରମ୍ଭ କରି ପଡ଼ିଶା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ନାଁ ବାହାର କରନ୍ତି। ସବୁଠୁ ଅଧିକ ଯେଉଁ ନାଁ ପସନ୍ଦ ହୁଏ, ପିଲାର ସେହି ନାଁ ରଖାଯାଏ। କିନ୍ତୁ କେବେ କେଉଁ ପିଲାର ନାଁ ହାଇକୋର୍ଟଙ୍କ ଦ୍ୱାରା ରଖାଯିବାର ଆପଣ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହି ସୁଯୋଗଟି ମିଳିଛି କେରଳ ହାଇକୋର୍ଟଙ୍କୁ। ବାପା […]

court final img

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 06:37 PM IST

କୋଚି: ପିଲାଟିଏ ଜନ୍ମ ହେଲେ ଘରଲୋକେ ପ୍ରଥମେ ତାର ନାଁ ବାଛନ୍ତି। ପରିବାର ଲୋକଠୁ ଆରମ୍ଭ କରି ପଡ଼ିଶା ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ନାଁ ବାହାର କରନ୍ତି। ସବୁଠୁ ଅଧିକ ଯେଉଁ ନାଁ ପସନ୍ଦ ହୁଏ, ପିଲାର ସେହି ନାଁ ରଖାଯାଏ। କିନ୍ତୁ କେବେ କେଉଁ ପିଲାର ନାଁ ହାଇକୋର୍ଟଙ୍କ ଦ୍ୱାରା ରଖାଯିବାର ଆପଣ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ଏହି ସୁଯୋଗଟି ମିଳିଛି କେରଳ ହାଇକୋର୍ଟଙ୍କୁ। ବାପା ବାଛିଥିବା ନାଁ ମାଆଙ୍କୁ ପସନ୍ଦ ହେଲାନି ଏବଂ ମାଆ ବାଛିଥିବା ନାଁ ବାପାଙ୍କୁ ପସନ୍ଦ ନହେବାରୁ ଉଭୟ କେରଳ ହାଇକୋର୍ଟରେ ମୋକଦ୍ଦମା କରିଥିଲେ।

ପିଲାର ବାପା ଜଣେ ହିନ୍ଦୁ ଏବଂ ମାଆ ଖ୍ରୀଷ୍ଟିୟାନ୍‌। ବାପା ପୁଅର ନାଁ 'ଅଭିନବ ସଚିନ' ଦେବା ପାଇଁ କହିଲା ବେଳେ ମାଆ 'ଜୋହାନ୍‌ ମଣି ସଚିନ' ଦେବା ପାଇଁ କହିଲେ। ଫଳରେ ନିଜେ ବାଛିଥିବା ନାଁ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା। କୋଟ୍ଟାୟାମ୍‌ ପୌରପାଳିକା ପିଲାର ନାଁ ଉପରେ ବାପାମାଆଙ୍କ ମତଭେଦ ଦେଖି କୋର୍ଟ ଅର୍ଡର୍‌ ଆଣିବାକୁ କହିଲେ। ତେଣୁ ଉଭୟ ବାପା ଓ ମାଆ ପିଲାଟିର ନାମକରଣ ମାମଲାରେ ହାଇକୋର୍ଟରେ ପୃଥକ ପିଟିସନ୍‌ ଦାଏର କରିଥିଲେ। ଶେଷରେ ଜଷ୍ଟିସ୍‌ ଏ କେ. ଜୟଶଙ୍କରନ୍ ‌ଙ୍କୁ ପିଲାଟିର ନାଁ ବାଛିବାକୁ ପଡ଼ିଛି। ଅଦାଲତ ପିଲାର ନାଁ ‘ଜୋହାନ ସଚିନ’ ରଖିବା ସହ ସେଇ ନାଁରେ ଜନ୍ମ ପ୍ରମାଣପତ୍ର ବାହାର କରିବାକୁ ଆଦେଶ ଦେଇଛନ୍ତି।

ଅଦାଲତ ତାଙ୍କ ରାୟରେ କହିଛନ୍ତି "ଉଭୟ ବାପା ଓ ମାଆଙ୍କ ଇଚ୍ଛାକୁ ବଳବତ୍ତର ରଖିବା ହେଉଛି ନ୍ୟାୟ। ତେଣୁ ଉଭୟଙ୍କ ଆବେଦନ ଉପରେ ପିଲାର ନାଁ ‘ଜୋହାନ୍‌ ସଚିନ’ ଦିଆଗଲା। ‘ଜୋହାନ୍‌’ ମାଆଙ୍କ ଇଚ୍ଛାର ପ୍ରତିନିଧିତ୍ୱ କରିବ ଏବଂ ସାଙ୍ଗିଆ ଭାବେ ‘ସଚିନ୍‌’ ବାପାଙ୍କର ଇଚ୍ଛାର ପ୍ରତିନିଧିତ୍ୱ କରିବ।"

ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୧୦ରେ ଖ୍ରୀଷ୍ଟିୟାନ୍‌ ରୀତିନୀତିରେ ଏହି ଦମ୍ପତିଙ୍କର ବିବାହ ହୋଇଥିଲେ। ବିବାହ ପରଦିନ ଏମାନେ ପୁଣି ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ୨୦୧୧ରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା। ୨୦୧୩ରେ ସେମାନଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ନେଲା। ଆଉ ଏହାପରେ ଆରମ୍ଭ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା। ଦିନକୁ ଦିନ କଳହ ବଢୁଥିଲା। ତେଣୁ ଉଭୟ ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ବି ଆବେଦନ କରିଥିଲେ।  ସେମାନଙ୍କର ଛାଡପତ୍ର ମାମଲା ଏବେବି କୋର୍ଟରେ ପଡିରହିଛି। ଦ୍ୱିତୀୟ ପିଲାର ସ୍କୁଲ୍‌ରେ ଆଡ୍‌ମିସନ୍‌ କରାଇବାକୁ ଜନ୍ମ ପ୍ରମାଣପତ୍ର ଆବଶ୍ୟକ ହେବାରୁ ନାଁ ଉପରେ ବିବାଦ ଉଠିଥିଲା।

Related story