ଚାଲିଥିଲା ଗୁଳିମାଡ଼, ଶବ ଉପରେ ବସିରହିଲା ୩ ବର୍ଷୀୟ ଶିଶୁ

ସୋପର: ବୟସ ମାତ୍ର ୩ ବର୍ଷ। ଜନ୍ମ ଓ ମୃତ୍ୟୁ କ’ଣ ସେ ଜାଣିନାହିଁ। ତଥାପି ନିଜ ଜେଜେବାପାଙ୍କ ମୃତ୍ୟୁକୁ ସେ ଆଖି ସାମ୍ନାରେ ଦେଖିଛି। ଗୁଳିମାଡ଼ରେ ଜେଜେବାପା ପ୍ରାଣ ହରାଇବା ପରେ ସେହି ଶବ ଉପରେ ବସି ୩ ବର୍ଷୀୟ ଶିଶୁ କାନ୍ଦୁଥିବା ବେଳର ଦୃଶ୍ୟ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଶୁଟି ଯେଉଁଠି ଶବ ଉପରେ ବସି କାନ୍ଦୁଥିଲା, ସେଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ […]

e

Hemant Lenka
  • Published: Wednesday, 01 July 2020
  • , Updated: 01 July 2020, 05:51 PM IST

ସୋପର: ବୟସ ମାତ୍ର ୩ ବର୍ଷ। ଜନ୍ମ ଓ ମୃତ୍ୟୁ କ’ଣ ସେ ଜାଣିନାହିଁ। ତଥାପି ନିଜ ଜେଜେବାପାଙ୍କ ମୃତ୍ୟୁକୁ ସେ ଆଖି ସାମ୍ନାରେ ଦେଖିଛି। ଗୁଳିମାଡ଼ରେ ଜେଜେବାପା ପ୍ରାଣ ହରାଇବା ପରେ ସେହି ଶବ ଉପରେ ବସି ୩ ବର୍ଷୀୟ ଶିଶୁ କାନ୍ଦୁଥିବା ବେଳର ଦୃଶ୍ୟ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଶୁଟି ଯେଉଁଠି ଶବ ଉପରେ ବସି କାନ୍ଦୁଥିଲା, ସେଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଥିଲା। ଗୁଳିର ଗର୍ଜନ ମଧ୍ୟରେ ସୁରକ୍ଷାକର୍ମୀମାନେ ଶିଶୁଟିକୁ ଉଦ୍ଧାର କରି ତା’କୁ ନୂଆ ଜୀବନ ଦେଇଛନ୍ତି।

ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଜମ୍ମୁ-କଶ୍ମୀରର ସୋପର ଜିଲ୍ଲାରେ ଘଟିଛି। ଆଜି ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ହମଲା କରିଛନ୍ତି। ଏଥିରେ ଜଣେ ସାଧାରଣ ଲୋକ ଓ ସିଆରପିଏଫର ଜଣେ ଯବାନ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ଯବାନଙ୍କ ପ୍ୟାଟ୍ରୋଲିଂ ଟିମ୍‌ ଉପରେ ଗୁଳି ମାଡ଼ କରି ଏଭଳି ହମଲା କରିଛନ୍ତି।

ହମଲା ସ୍ଥଳରୁ ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି। ଜଣେ ବ୍ୟକ୍ତି ତାଙ୍କ ନାତିଙ୍କୁ ଧରି ଏକ ମାରୁତି କାର୍‌ରେ ଶ୍ରୀନଗରରୁ ହଣ୍ଡୱାରା ଯାଉଥିଲା। ତେବେ ସୋପର ଟାଉନ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଆତଙ୍କୀମାନେ ସିଆରପିଏଫ ଯବାନଙ୍କ ଉପରେ ହମଲା କରିଥିଲେ।

ଗୁଳି ଶବ୍ଦ ଶୁଣି କାର୍‌ରେ ଯାଉଥିବା ୬୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ନିଜ ନାତିକୁ ନେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିଁଥିଲେ। ତେବେ ଏହି ସମୟରେ ତାଙ୍କ ଛାତିରେ ୨ଟି ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଶବ ପଡ଼ିଥିଲେ ହେଁ କିଛି ଜାଣିପାରୁ ନଥିବା ଶିଶୁ ଜଣଙ୍କ ସେହି ଶବ ଉପରେ ବସି କାନ୍ଦିବାରେ ଲାଗିଥିଲା। ଏହି ସମୟରେ ଗୁଳି ମାଡ଼ ଜାରି ରହିଥାଏ।

ଗୁଳିମାଡ଼ ଭିତରେ ସେ ସଂପୂର୍ଣ୍ଣ ଭାବେ ଡରି ଯାଇଥିଲା। ତଥାପି ମୃତଦେହ ପାଖରେ କେବଳ ବିଚଳିତ ହୋଇ କାନ୍ଦିବାରେ ଲାଗିଥିଲା। ଏପରି କି ସେ ତା’ର ଜେଜେବାପାଙ୍କୁ ବି ଉଠାଇବାକୁ ଚାହିଁଥିଲା। କିନ୍ତୁ ଆତଙ୍କୀଙ୍କ ବର୍ବରତାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ନାତିର କଅଁଳ ଚିତ୍କାରକୁ ଶୁଣିବାକୁ ଆଉ ଏ ଦୁନିଆରେ ନଥିଲେ।

ପିଲାଟିର କରୁଣ ଅବସ୍ଥା ଦେଖି ସୁରକ୍ଷାକର୍ମୀମାନେ ଗୋଟିଏ ପଟେ ଆତଙ୍କୀଙ୍କ ମୁକାବିଲା କରିବା ସହ ଅନ୍ୟ ପଟେ କଅଁଳ ଶିଶୁଟିକୁ ମଧ୍ୟ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ।

ଶେଷରେ ଶିଶୁଟିକୁ ସୁରକ୍ଷାକର୍ମୀମାନେ ଶବ ନିକଟରୁ ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ସେନା ଯବାନମାନେ ତା’କୁ ବିସ୍କୁଟ ଓ ପାଣି ଦେଇ ବୁଝାଯିବାକୁ ଚେଷ୍ଟା କରିଥିଲେ। ହେଲେ ତା’ର କାନ୍ଦ ବନ୍ଦ ହୋଇ ନଥିଲା। ମା’ ପାଖକୁ ତା’କୁ ନିଆଯିବ ବୋଲି ଯବାନମାନେ ବାରମ୍ବାର କହିବା ପରେ ତା’ର କାନ୍ଦ କିଛି ସମୟ ପାଇଁ ବନ୍ଦ ହୋଇଥିଲା।

କଶ୍ମୀର ପୁଲିସ୍‌ ପକ୍ଷରୁ କିଛି ଫଟୋ ଟ୍ୱିଟ କରାଯାଇଛି। ଯେଉଁଥିରେ ଜଣେ ସୁରକ୍ଷାକର୍ମୀ କେମିତି ଶିଶୁଟିକୁ କାନ୍ଧରେ ଧରି ସୁରକ୍ଷିତ ସ୍ଥାନକୁ ଆସୁଛନ୍ତି, ତା’ର ଦୃଶ୍ୟ ରହିଛି। ସେହିପରି ଆଉ କିଛି ଫଟୋରେ ଶିଶୁଟି ଶବ ଉପରେ ବସି କାନ୍ଦୁଥିବା ବେଳେ ଦୃଶ୍ୟ ରହିଛି।

ଭାଇରାଲ ହୋଇଥିବା ଫଟୋରେ ଶିଶୁଟି ବନ୍ଧୁକ ଧରି ଆତଙ୍କୀଙ୍କ ମୁକାବିଲା କରୁଥିବା ଜଣେ ଯବାନଙ୍କ ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଶିଶୁଟିକୁ ସାଇଡ୍‌ ହେବାକୁ ଯବାନ ଜଣଙ୍କ କହୁଥିବା ମଧ୍ୟ ଦୃଶ୍ୟ ରହିଛି।

Related story