ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ଭାରତ ସରକାର କଟକଣା ଲଗାଇବା ପରେ ଏହାର ପ୍ରଭାବ ବିଶ୍ୱ ବଜାରରେ ଅନୁଭୂତ ହେଲାଣି। ଏଥିଯୋଗୁ ଖାଦ୍ୟ ସଙ୍କଟ ଘନୀଭୂତ ହେବା ଆଶଙ୍କା ଦେଖାଦେଲାଣି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଏକ ବୁଶଲ ବା ୨୫.୪୦ କେଜି ଗହମ ଦାମ ୫.୯% ବଢ଼ି ୧୨.୪୭ ଡଲାରରେ ପହଞ୍ଚିଗଲାଣି। ଭାରତ ତରଫରୁ ଏହାର ରପ୍ତାନୀ ଉପରେ କଟକଣା ଲଗାଯିବା ପରଠୁ ଏହା ଦାମରେ ପ୍ରାୟ ୬ % ବଢ଼ି ସାରିଲାଣି।
ରୁଷ ଓ ୟୁକ୍ରେନ ବିଶ୍ୱର ପ୍ରାୟ ଏକ ତୃତୀୟାଶଂ ଗହମ ଚାହିଦା ମେଣ୍ଟାଇଥାନ୍ତି। ମାତ୍ର ଉଭୟ ଦେଶ ମଧ୍ୟରେ ଚାଲୁ ରହିଥିବା ଯୁଦ୍ଧ ଯୋଗୁ ଏହା ଗଭୀର ଭାବେ ପ୍ରଭାବିତ ହୋଇଛି। ଉଭୟ ଦେଶ ମଧ୍ୟ ଚାଲିଥିବା ଯୁଦ୍ଧ ଯୋଗୁ ଏଥର ଗହମ ଦର ପ୍ରାୟ ୬୦% ବୃଦ୍ଧି ହୋଇଥିବା ଫାଇନାନସିଆଲ ରିପୋର୍ଟରେ ପ୍ରକାଶିତ ହୋଇଛି।
ଗତ ବର୍ଷ ଭଲ ପାଣିପାଗ ହେତୁ ଭାରତ ପର୍ଯ୍ୟାପ୍ତ ପରିମାଣର ଗହମ ବିଶ୍ୱ ବଜାରକୁ ରପ୍ତାନୀ କରିଥିଲା। ଫଳରେ ଏହାର ଦାମରେ ବିଶେଷ ପ୍ରଭାବ ପଡ଼ି ନ ଥିଲା। କିନ୍ତୁ ଚଳିତ ବର୍ଷ ଭାରତରେ ମହଙ୍ଗା ଦର ଗତ ୮ ବର୍ଷର ରେକର୍ଡ ଭାଙ୍ଗିଛି। ତେଣୁ ଦେଶରେ ଗହମ ଦର ବଢ଼ିଛି। ଏହାବାଦ ଗତ ୨ ମାସ ହେଲା ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବାରୁ ଏହା ଗହମ ଉତ୍ପାଦନକୁ ପ୍ରଭାବିତ କରୁଛି। ତେଣୁ ନିଜ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଭାରତ ସରକାରଙ୍କୁ ଏଥର ରପ୍ତାନୀ ଉପରେ କଟକଣା ଲଗାଇବା ପରି କଠୋର ପଦକ୍ଷେପ ଉଠାଇବାକୁ ପଡ଼ିଛି।
ଏଥିନିମନ୍ତେ ବିଭିନ୍ନ ଦିଗରୁ ସମାଲୋଚିତ ହେବା ସତ୍ତ୍ୱେ ଭାରତ ସରକାର ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି। କେବଳ ଯେଉଁମାନଙ୍କ ସହ ଏହି ନିୟମ ଲାଗୁ ହେବା ପୂର୍ବରୁ ଗହମ ରପ୍ତାନୀ ପାଇଁ ଡିଲ୍ ହୋଇଛି ତଥା ଯେଉଁମାନେ ଖାଦ୍ୟ ସୁରକ୍ଷା ଅଧୀନରେ ଗହମ ଆବଶ୍ୟକ କରୁଛନ୍ତି, ସେମାନଙ୍କ ଚାହିଦାକୁ ପ୍ରାଥମିକତା ଦିଆଯାଉଛି। ଏପରି ଦେଶଙ୍କୁ ଛାଡ଼ି ଆଉ କାହାକୁ ଏବେ ଗହମ ରପ୍ତାନୀ କରିବା ମୁଡରେ ନାହିଁ ଭାରତ ।
ଭାରତର ଏପରି ପ୍ରତିବନ୍ଧକ ଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ଲୋକଙ୍କ ଖାଦ୍ୟ ସଙ୍କଟ ସମସ୍ୟା ସୃଷ୍ଟି ହେବ। ଏହା ବିଶ୍ୱ ବଜାର ନିମନ୍ତେ ଏକ ବଡ଼ ପରିବର୍ତ୍ତନ। ଏହି ସ୍ଥିତିର ମୁକାବିଲା ନିମନ୍ତେ ଭାରତ ଉତ୍ପାଦିତ ଗହମ ସ୍ଥାନରେ ଅନ୍ୟ ଦେଶରୁ ଗହମ ଆମଦାନୀ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ଉଚିତ ବୋଲି ଅଷ୍ଟ୍ରେଲିଆର କମନୱେଲଥ୍ ବ୍ୟାଙ୍କର କୃଷି ରଣନୀତି ନିବେଶକ ଟୋବିନ ଗୋରେ କହିଛନ୍ତି।
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳ ଉପରେ ପଡ଼ିବ ବୋଲି କିଛି ଦିନ ପୂର୍ବେ ଆମେରିକା କୃଷି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଏପରିକି ଗତ ୪ ବର୍ଷ ମଧ୍ୟରେ ଚଳିତ ବର୍ଷ ବିଶ୍ୱ ବଜାରରେ ଗହମ ଉତ୍ପାଦନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଥିବା ବେଳେ ତାହା ସତ ପ୍ରମାଣିତ ହୋଇଛି।
ଭାରତୀୟ କଟକଣାର ସବୁଠୁ ଅଧିକ ପ୍ରଭାବ ଆଫ୍ରିକୀୟ ଦେଶ ସମେତ ବିକାଶଶୀଳ ଦେଶମାନଙ୍କ ଉପରେ ପଡ଼ିବା ଆଶଙ୍କା ଦେଖା ଦେଇଛି। ତେଣୁ ଏହାର ସମାଧାନର ବାଟ ବାହାର କରିବା ଉପରେ ତତ୍ପରତା ପ୍ରକାଶ କରିବାକୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।