ମୁମ୍ବାଇ: ଲଗାଣ ବର୍ଷା ପରେ ପାଣିଘେରରେ ମୁମ୍ୱାଇ ସହର ସମେତ ଅଧିକାଂଶ ଆଖ ପାଖ ଅଞ୍ଚଳ। ରାସ୍ତା ଉପରେ ଅଣ୍ଟାଏରୁ ଅଧିକ ଉଚ୍ଚରେ ପାଣି ଲହଡୀ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି। ଏଥିପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।
ଥାଣେ ନଗର ନିଗମର ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଥିବାରୁ ସମସ୍ତ ସରକାରୀ ସ୍କୁଲକୁ ଏଥିପାଇଁ ବନ୍ଦ ରଖିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପାଖରୁ ଆରମ୍ଭ କରି ରେଳ ଲାଇନରେ ପାଣି ଜମି ରହିଥିବାରୁ ଜନ ଜୀବନ ପ୍ରଭାବିତ ହୋଇଛି। ପାଣିର ସୁଅ ଅଧିକ ରହିଥିବାରୁ କାର, ଗାଡ଼ି ଆଦିକୁ ରଶିରେ ବାନ୍ଧି ଲୋକମାନେ ରଖିଥିବା ଦେଖିବାକୁ ମିଳିଛି।
ମୁମ୍ବାଇରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇଛି। ମୁମ୍ବାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳ ୮ଟା ପର୍ଯ୍ୟନ୍ତ ମୁମ୍ବାଇରେ ୧୫୪୬.୬ ମିମି ବର୍ଷା ହୋଇଥିଲା।